ପାକ୍‌ ବିମାନ ଦୁର୍ଘଟଣା: ମୃତ୍ୟୁକୁ ମାତ୍‌ ଦେଇ ବଞ୍ଚିଗଲେ ଏଇ ଦୁଇଜଣ

ନୂଆଦିଲ୍ଲୀ:ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିପାରିବ ? ବୋଧହୁଏ ତାଙ୍କ ପ୍ରତି ଭଗବାନଙ୍କର ଆର୍ଶୀବାଦ ଥିଲା। ନଚେତ୍‌ ବିମାନର ସବୁ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନେ କିପରି ବଞ୍ଚିଲେ ? ଆମେ ପାକିସ୍ତାନର ସେଇ ବିମାନ ଦୁର୍ଘଟଣା ସମ୍ପର୍କରେ କହୁଛୁ ଯେଉଁ ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୧୦୭ ଜଣଙ୍କ ମଧ୍ୟରୁ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଦୁଇ ଜଣ ଏହି ମହାବିପତ୍ତିରୁ ବର୍ତ୍ତି ଯାଇଛନ୍ତି।

ପାକିସ୍ତାନ ବିମାନ A320 ଶୁକ୍ରବାର କରାଚିର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିଥିଲା। ବିମାନ ବନ୍ଦରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ବିମାନଟିକୁ ଅବତରଣ କରାଇବାକୁ ପାଇଲଟ ଚାହୁଁଥିବାବେଳେ ଖସି ପଡ଼ିଥିଲା। ପ୍ରଥମେ ଏହାର ପଛପଟ ଭାଗ ମାଡ ହୋଇଥିଲା। ଗୋଟିଏ ମୁହୂର୍ତ୍ତ ଯାଇଛି କି ନାହିଁ ହଠାତ୍‌ ବିସ୍ଫୋରଣ ହୋଇଥିଲା। ତା‘ ପରେ ଚାରିଆଡ ଥିଲା ଖାଲି ଧୂଆଁ ଆଉ ଧୂଆଁ । କିଛି ସମୟ ପରେ ଦେଖିବାକୁ ମିଳିଥିଲା ବିମାନର ଭଗ୍ନାବଶେଷ ଏବଂ ମୃତ ଦେହ। ଏସବୁ ହୃଦୟଥରା ଦୃଶ୍ୟ ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି।

ବିମାନରେ ସମୁଦାୟ ୧୦୭ ଜଣ ଥିଲେ। ତେବେ ଏତେବଡ଼ ମହାବପତ୍ତିକୁ ମାତ୍‌ ଦେଇ ବର୍ତ୍ତି ଯାଇଛନ୍ତି ୨ ଜଣ।  ଏହି ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କ ଅଫ ପଞ୍ଚାବର ପ୍ରେସିଡେଣ୍ଟ ଜଫର ମସୁଦ୍‌। ଜଫରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର Hip boneରେ ଗୁରୁତର ଆଘାତ  ଲାଗିଛି। ଏଥସହିତ ତାଙ୍କର କଲର ବୋନ ମଧ୍ୟ ଭାଙ୍ଗି ଯାଇଛି । ବିମାନ ଦୁର୍ଘଟଣା ପରେ ତାଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ବହୁତ କଷ୍ଟ କରିବାକୁ ପଡ଼ଥିଲା।  

ବିମାନରେ ଥିବା ପ୍ରାୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଫର କିପରି ବର୍ତ୍ତିଲେ ତାହା ଆବଶ୍ୟ କେହି ଜାଣିନାହାନ୍ତି। ତେବେ ଅନୁମାନ କରାଯାଉଛି, ଦୁର୍ଘଟଣା ସମୟରେ ବେଳେବେଳେ ବିମାନର ପଛ ଭାଗ ପ୍ରାୟତଃ ସୁରକ୍ଷିତ ରହିଯାଏ। ଏହି କାରଣରୁ ବିମାନର ଏହି ଭାଗରେ ବ୍ଲାକ ବାକ୍ସ ଲଗାଯାଇଥିଏ। କୁହାଯାଏ, ପଛ ଭାଗରେ ଯିଏ ବସିଥାନ୍ତି ସମାନଙ୍କର ବଞ୍ଚିବାର  ଆଶା ଥାଏ। ତା‘ଛଡା ଯେଉଁମାନେ ସିଟ୍‌ବେଲ୍‌ଟ ବାନ୍ଧିଥିବେ ସେମାନଙ୍କର ବଞ୍ଚିବା ଆଶା ଅଧିକ ଥାଏ। ସେହି କାରଣରୁ ମସୁଦଙ୍କ ସମେତ ୨ ଜଣ ବର୍ତ୍ତି ଯାଇଥିବା ଅନୁମାନ କରାଯାଉଛି।

ମସୁଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ଏପରିକି ସେ ତାଙ୍କ ମା’ଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଡାକ୍ତରଖାନାରେ ତାଙ୍କ ସହ ତାଙ୍କ ଭାଇ ମଧ୍ୟ ଅଛନ୍ତି।

You might also like