ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଇସ୍‌ଲାମବାଦ:ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ପାଇଁ ବଢୁଛି ଅଡୁଆ। କରାଚୀରେ ବିରୋଧୀ ଦଳ ଗତକାଲି ଇମ୍ରାନ ସରକାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିବାବେଳେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। କରାଚିରେ ରହୁଥିବା ନଓ୍ୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଅଓ୍ୱାନଙ୍କୁ ପୋଲିସ ଏକ ହୋଟେଲରୁ ଗିରଫ କରି ନେଇଛି।

ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଝିଅ ତଥା ପାକିସ୍ତାନ ମୁସ୍‌ଲିମ ଲିଗ (ନୱାଜ)ର ଉପାଧ୍ୟକ୍ଷ  ମାରିୟମ ନୱାଜ ସୂଚନା ଦେଇ କହିଛନ୍ତି,  ପୋଲିସ ସକାଳୁ ସକାଳୁ ସେ ରହୁଥିବା ହୋଟେଲର ରୁମ୍‌କୁ ଆସିଥିଲେ। କବାଟ ଭାଙ୍ଗି ସଫଦରଙ୍କୁ ଜବରଦସ୍ତ ନେଇ ଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା।

ସୂଚନାଥାଉ କି, ଗତକାଲି କରାଚୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ବିରୋଧୀ ଦଳ ଏକାଠି ହୋଇ ବିରାଟ ଶକ୍ତି ପ୍ରଦର୍ଶନ କରାଯାଇଛି।  ୯ଟି ବିରୋଧୀ ଦଳ ଏକାଠି ହୋଇ ବିଶାଳ ରାଲି କରିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ବିରୋଧ କରି ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଯଦି ଇମ୍ରାନ ଖାନ ସରକାରକୁ ଅଧିକ ଦିନ ଦେଶର ଦାୟିତ୍ୱ ଦିଆଯାଏ, ତେବେ ଦେଶ ପୁରା ଧ୍ୱଂସ ପାଇଯିବ ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମ ନୱାଜ କହିଛନ୍ତି ।

ପାକିସ୍ତାନ ମୁସ୍‌ଲିମ ଲିଗ (N) ପକ୍ଷରୁ ଗତକାଲି ରାଲିର ଆୟୋଜନ କରାଯାଇଥିଲା। ରାଲିରେ ଉଦ୍‌ବୋଧନ ଦେଇ ମାରିଅମ ଇମ୍ରାନ ଖାନ୍‌ଙ୍କୁ ଡରୁଆ, ଅଯୋଗ୍ୟ ବୋଲି କହିଛନ୍ତି। ପ୍ରତିକଥାରେ ଇମ୍ରାନ ସେନାକୁ ଢାଲ କରି ବର୍ତ୍ତିବା ପାଇଁ ଚାହୁଛନ୍ତି। ଏଥି ସହିତ ଇମ୍ରାନଙ୍କୁ ଭ୍ରଷ୍ଟାଚାରୀ ବୋଲି କହିଛନ୍ତି। କରୋନା ମୁକାବିଲାରେ ଇମ୍ରାନ ସରକାର ସମ୍ପୂର୍ଣ୍ଣବ ବିଫଳ ହୋଇଛନ୍ତି ବୋଲି ସେ  ଅଭିଯୋଗ କରିଛନ୍ତି।

ସୂଚନାଥାଉ କି, ଗତକିଛି ଦିନ ହେବ ଇମ୍ରାନ ସରକାରଙ୍କ ବିରୋଧରେ ବିରୋଧୀମାନେ ମାତିଛନ୍ତି। ଦେଶର ପ୍ରାୟ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଇମ୍ରାନ ସରକାର ଏବଂ ସେନା ବିରୋଧରେ ସ୍ୱର ଉଠାଇଛନ୍ତି।

 

You might also like