ଶେଷରେ ଭାରତ ପାଇଁ ଆକାଶ ମାର୍ଗ ଖୋଲିଲା ପାକିସ୍ତାନ

ଇସ୍‌ଲାମାବାଦ: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସରକାର ତାଙ୍କ ଆକାଶ ମାର୍ଗକୁ ଭାରତୀୟ ବିମାନଗୁଡ଼ିକ ପାଇଁ ବନ୍ଦ କରିଦେଇଥିଲେ। ତେବେ ୧୪୦ ଦିନ ପରେ ଆଜି ସକାଳେ ପାକିସ୍ତାନ ସରକାର ଶେଷରେ ଏହି ଆକାଶ ମାର୍ଗକୁ ଭାରତୀୟ ବିମାନଗୁଡ଼ିକ ପାଇଁ ଖୋଲିଛନ୍ତି। ଏଥିସହ ଭାରତୀୟ ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ମଧ୍ୟ ପାକିସ୍ତାନ ସରକାର ପ୍ରତ୍ୟାହାର କରିନେଇଛନ୍ତି।

ପାକିସ୍ତାନ ସରକାର ଭାରତୀୟ ବିମାନ ଗୁଡ଼ିକ ପାଇଁ ଆକାଶ ମାର୍ଗ ବନ୍ଦ କରିଥିବାରୁ ଏୟାର ଇଣ୍ଡିଆ ସବୁଠାରୁ ଅଧିକ କ୍ଷତି ସହିଥିଲା। କାରଣ ଏୟାର ଇଣ୍ଡିଆର ବିମାନ ଗୁଡ଼ିକ ଅନ୍ତର୍ଜାତୀୟ ଉଡ଼ାଣ ବେଳେ ଅଲଗା ମାର୍ଗ ଦେଇ ଯାଉଥିଲା। ଯେଉଁଥିପାଇଁ ଇତି ମଧ୍ୟରେ ଏୟାର ଇଣ୍ଡିଆକୁ ପ୍ରାୟ ୪୯୧ କୋଟି  କ୍ଷତି ସହିବାକୁ ପଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ଅର୍ଥାତ ୧୨.୪୮ରୁ ପାକିସ୍ତାନ ସରକାର ତାଙ୍କ ଆକାଶ ମାର୍ଗ ସମସ୍ତ ବିମାନ ପାଇଁ ଖୋଲିଛନ୍ତି। ଏହାସହ ବାଲାକୋଟ ଏୟାର ଷ୍ଟ୍ରାଇକ ପୂର୍ବରୁ ଯେଉଁଭଳି ଭାବେ ଭାରତୀୟ ବିମାନଗୁଡ଼ିକ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରୁଥିଲେ ଏବେ ସେଭଳି ଭାବେ ବ୍ୟବହାର କରିପାରିବେ। ଏ ସଂକ୍ରାନ୍ତ ଏକ ନୋଟିସ୍‌ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ୧୨.୪୧ରେ ପ୍ରକାଶ ପାଇଛି। ଜରୁରୀକାଳୀନ ଭିତ୍ତିରେ ପାକିସ୍ତାନ ଆକାଶ ମାର୍ଗକୁ ଖୋଲିବାକୁ ଏଥିରେ କୁହାଯାଇଛି।

ଫେବୃଆରୀ ୧୪ରେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ପୁଲୱାମାରେ ଆକ୍ରମଣ କରିଥିଲେ। ଏଥିରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାପରେ ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ଆକାଶ ମାର୍ଗକୁ ବନ୍ଦ କରିଦେଇଥିଲେ।

You might also like