ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ଆମେରିକାର ତାଗିଦ୍

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଏବାର ସହ ସଂସ୍ଥାପକ ତଥା ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ତାଗିଦ୍ କରିଛି ଆମେରିକା। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା FATFର ରିପୋର୍ଟ ଆସିବା ପୂର୍ବରୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛି ଆମେରିକା।

ହାଫିଜ୍ ସୟିଦ୍ ସମେତ ଲସ୍କର ଅନ୍ୟ ୩ କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି। ଅନ୍ୟପକ୍ଷରେ ଲସ୍କର ଓ ଜମାତ ଉଲ୍ ଦାଓ୍ୱାର ୪ ଆତଙ୍କବାଦୀଙ୍କୁ ଇରାନ ଖାନ୍ ପ୍ରଶାସନ ଗିରଫ କରିଥିବାରୁ ଆମେରିକା ଗୃହ ବିଭାଗ ତାର ସ୍ୱାଗତ କରିଛି। ନିଜ ମାଟିରେ ଆତଙ୍କୀ କାର୍ଯ୍ୟକଳାପ ରୋକିବା ଲାଗି ପାକିସ୍ତାନ ପଦକ୍ଷେପ ନେଉ ବୋଲି ବିଭାଗ କହିଛି।

ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ପାକିସ୍ତାନ FATF ଗ୍ରେ ଲିଷ୍ଟରେ ରହିଛି। ତେବେ ସଂଗଠନ ତରଫରୁ ରଖାଯାଇଥିବା ସର୍ତ୍ତାବଳୀ ପୂରଣରେ ଯଦି ଇମ୍ରାନ ପ୍ରଶାସନ ବିଫଳ ହୁଏ ତେବେ ଚଳିତ ମାସରେ ପ୍ରକାଶ ପାଇବାକୁ ଥିବା ସଂଶୋଧିତ ତାଲିକାରେ ଏହାକୁ କଳା ତାଲିକାଭୁକ୍ତ କରାଯିବାର ସମ୍ଭାବନା ରହିଛି। ଉତ୍ତର କୋରିଆ ଓ ଇରାନ ଏବେ FATF କଳା ତାଲିକାରେ ରହିଛନ୍ତି।

 

You might also like