ଆସନ୍ତାକାଲି ମୁକ୍ତ ହେବେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନ ହେପାଜତରେ ଥିବା ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଇମ୍ରାନ କହିଛନ୍ତି।

ଏଥିସହିତ ଅଭିନନ୍ଦନଙ୍କ ଗିରଫଦାରୀ ସଂକ୍ରାନ୍ତ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ୍‌ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ୟୁଟ୍ୟୁବ୍‌ ମଧ୍ୟ ଭିଡିଓଗୁଡ଼ିକୁ ହଟାଇ ଦେଇଛି।

ତେବେ ପାକିସ୍ତାନର ଏଭଳି ଘୋଷଣା ପରେ ଭାରତର କୂଟନୈତିକ ସ୍ତରରେ ବୃହତ ବିଜୟ ହୋଇଛି। ପୂର୍ବରୁ ଭାରତ ପକ୍ଷରୁ ବିନାସର୍ତ୍ତରେ ଅଭିନନ୍ଦନଙ୍କୁ ମୁକ୍ତ କରିବା ପାଇଁ ଦାବି କରାଯାଇଥିଲା।

ସଂସଦର ମିଳିତ ଅଧିବେଶକୁ ଉଦ୍‌ବୋଧନ ଦେଇ ଇମ୍ରାନ୍‌ କହିଛନ୍ତି, ଆମେ ଶାନ୍ତି ଚାହୁଁଛୁ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ କମାଇବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ବୋଲି ଇମ୍ରାନ କହିଛନ୍ତି। ଏଥିସହିତ ପାକିସ୍ତାନ ଏୟାର୍‌ଷ୍ଟ୍ରାଇକ୍‌ ସପକ୍ଷରେ ମତ ଦେଇ ଇମ୍ରାନ କହିଛନ୍ତି, ଭାରତର ଆକ୍ରମଣକୁ ରୋକିବା ପାଇଁ ବାଧ୍ୟ ହୋଇ ପାକିସ୍ତାନ ଆକ୍ରମଣ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଯାହା ଘଟୁଛି ତାହା କେବଳ କଶ୍ମୀର ପାଇଁ ଚାଲିଛି। ହିନ୍ଦୁସ୍ତାନର ସମସ୍ତ ଲୋକଙ୍କୁ କହୁଛି ଯେ ସେମାନେ ତାଙ୍କ ସରକାରଙ୍କୁ ପ୍ରଶ୍ନ କରନ୍ତୁ। କ’ଣ ପାଇଁ ୧୯ ବର୍ଷର ଜଣେ କଶ୍ମିରୀ ନିଜକୁ ନିଜେ ଆତ୍ମଘାତୀ ଭାବେ ଗଢ଼ି ତୋଳୁଛି?”

ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ ବୁଧବାର ସକାଳଠାରୁ ପାକିସ୍ତାନ ଆର୍ମି କବ୍‌ଜାରେ ଅଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଏୟାର ଫାଇଟ୍‌ ପରେ  ଅଭିନନ୍ଦନଙ୍କ ବିମାନ ଏଲ୍‌ଓସି ଆରପଟେ ଲ୍ୟାଣ୍ଡିଂ କରିଥିଲା।

You might also like