• translate
Prangyan Parimita

ଇସଲାମାବାଦ : ପଡ଼ୋଶୀ ଦେଶ ପାକିସ୍ତାନରେ ଉତ୍କଟ ଜଳ ସମସ୍ୟା । ଠିକ୍ ସମୟରେ ଜଳ ସମସ୍ୟାର ସମାଧାନ ନହେଲେ ପାକିସ୍ତାନରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ମୁଠାଏ ଦାନା ତଥା ପାଣି ଟୋପାଏ ପାଇଁ ବିକଳ ହେବେ ଲୋକେ ।  ଏକ ବିଶେଷଜ୍ଞ  ଟିମ୍ ଏ ସମ୍ପର୍କରେ ଇମ୍ରାନ୍ ଖାନଙ୍କୁ ସତର୍କ କରାଇଛନ୍ତି । ନିଅଣ୍ଟିଆ ବର୍ଷା ଯୋଗୁଁ ନଦୀ ଗୁଡ଼ିକ ଶୁଖିଯିବା ପରେ ଦେଶରେ ଜଳ ଅଭାବ ସମ୍ପର୍କରେ ଚେତାବନୀ ଦିଆଯାଇଛି ।

ପ୍ରତି ବର୍ଷ ଦେଶରେ ମୁଣ୍ଡପିଛା ଜଳ ଉପଲବ୍ଧତା ୧୧୦୦ କୋଟି କ୍ୟୁବିକ୍ ମିଟର, ଯାହା ବର୍ତ୍ତମାନ ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି । ଫଳରେ ଦିନକୁ ଦିନ ସରକାରଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି ।   ଭୂତଳ ଜଳକୁ କାମରେ ଲଗାଇବା ମଧ୍ୟ ସହଜ ନୁହେଁ । କାରଣ ଭୂତଳ ଜଳରେ ଚାଷ କରିବାକୁ ତଥା ଅନ୍ୟାନ୍ୟ ବ୍ୟବହାର କରିବାକୁ ପାଖାପାଖି ୬୦୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଯିବାକୁ ପଡିବ । ପୂର୍ବରୁ କେବଳ ୫୦ ଫୁଟ ଗଭୀର ପର୍ଯ୍ୟନ୍ତ ଗଲେ ସହଜରେ ପାଣିର ସ୍ରୋତ ମିଳି ଯାଉଥିଲା । ସେପଟେ ପ୍ରତିବର୍ଷ ଖରିଫ ଏବଂ ରବି ଫସଲରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ଜଳ ଅଭାବ ଦେଖାଦେଉଛି । ଅନ୍ୟପଟେ  ଲାହୋର ସମେତ ପଞ୍ଜାବର ଛୋଟ ଏବଂ ବଡ ସହରରେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି ।

ନୂତନ ଜଳଭଣ୍ଡାର ନିର୍ମାଣ ନହେଲେ ତଥା ଜଳ ଅପଚୟ ବନ୍ଦ ନହେଲେ ପାକିସ୍ତାନ ଦୁର୍ଭିକ୍ଷ ପରି ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ଜଳ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଜନସଂଖ୍ୟା ବୃଦ୍ଧି, ଜଳ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କୁହାଯାଇଛି ।

ସେପଟେ ପାକିସ୍ତାନ ଇଞ୍ଜିନିୟରିଂ କଂଗ୍ରେସ ସଭାପତି ଆମଜଦ ସଇଦ କହିଛନ୍ତି,ଆଗାମୀ ଦିନରେ ଦେଶରେ ଜଳ ସମସ୍ୟା ଗୁରୁତର ହୋଇପାରେ । ଏହାପୂର୍ବରୁ ମାର୍ଚ୍ଚ ମାସରେ ୱାଶିଂଟନ୍ ଭିତ୍ତିକ ପତ୍ରିକା ଅନୁସାରେ) ଜଳ ଅଭାବର ସମ୍ମୁଖୀନ ହେଉଥିବା ଦେଶ ତାଲିକାରେ ପାକିସ୍ତାନକୁ ତୃତୀୟ ସ୍ଥାନରେ ରଖିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ।

Other Stories