ନିଷ୍ପତ୍ତି ବଦଳାଇଲା ପାକିସ୍ତାନ; ଭାରତରୁ ଆମଦାନୀ କରିବ କପା, ଚିନି

ଇସ୍‌ଲାମବାଦ: ପୁଣି ଭାରତକୁ ମୁହଁ ଫେରାଇଲା ପାକିସ୍ତାନ। ଇମ୍ରାନ ସରକାର ଭାରତରୁ କପା ଏବଂ ଚିନି ଆମଦାନୀ କରିବାକୁ ସହମତି ପ୍ରକାଶ କରିଛି। ପାକିସ୍ତାନର କ୍ୟାବିନେଟ ଆର୍ଥିକ ସମନ୍ୱୟ ସମିତି ବୁଧବାର ଭାରତ ସହ ବ୍ୟବସାୟ ପୁଣି ଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ପାକିସ୍ତାନ ୨୦୨୧ ଜୁନ ୩୦ ତାରିଖ ସୁଦ୍ଧା ଭାରତରୁ କଟନ ଆମଦାନୀ କରିବ। ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଭାରତରୁ ଚିନି ଆମଦାନୀ କରିବା ପାଇଁ ମଧ୍ୟ ଘରୋଇ କ୍ଷେତ୍ରକୁ ମଞ୍ଜୁରୀ ଦେଇଛି।

ସୂଚନାଥାଉ କି, ପାକିସ୍ତାନ ୨୦୧୬ରେ ଭାରତରୁ କପା ଏବଂ ଅନ୍ୟ କୃଷିଜାତ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନରେ ଚିନିର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ତଥା ସଙ୍କଟରେ ପଡିଥିବା ବୟନ ଶିଳ୍ପକୁ ବଞ୍ଚାଇବା ପାଇଁ ଇମ୍ରାନ ଖାନ୍‌ ସରକାର ଭାରତ ସହ ବ୍ୟାବସାୟିକ ସମ୍ପର୍କ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି।

ଦୁଇ ଦେଶ ମଧ୍ୟରେ ଗତ କିଛି ବର୍ଷ ହେଲା ଉତ୍ତେଜନା ଦେଖା ଦେଇଥିବାବେଳେ ଭାରତ ସହ ସମ୍ପର୍କ ଯୋଡ଼ିବା ପାଇଁ ପାକିସ୍ତାନ ପକ୍ଷରୁ ପ୍ରଥମ ପ୍ରୟାସ ଆରମ୍ଭ ହୋଇଛି।  ଏହା ପୂର୍ବରୁ ୨୦୧୯ ଅଗଷ୍ଟରେ ଜମ୍ମୁ-କାଶ୍ମୀରରୁ ବିଶେଷ ସୁବିଧା ହଟାଇବା ପରେ ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଥିଲା। ପାକିସ୍ତାନ ସରକାରଙ୍କର ଏପରି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ଦିଗରେ ପ୍ରାଥମିକ ଉଦ୍ୟମ ବୋଲି କୁହାଯାଉଛି।

 

You might also like