୨୩ ଦିନରେ ତୁଟିଗଲା ୭ ଜନ୍ମର ବନ୍ଧନ

ଗାଇଡଲାଇନ୍ ପାଳନ କରି ବିବାହ କରିଥିଲେ ସୁଦ୍ଧା ସଂକ୍ରମିତ ହେଲେ ନବବିବାହିତ, ସୁନାର ସଂସାର ଗଢ଼ିବା ଆଗରୁ ସିନ୍ଦୁର ପୋଛିଦେଲା ମହାମାରୀ

ରାଜଗଡ଼ : ସୁନାର ସଂସାର ଉଜାଡ଼ି ଦେଲା ମହାମାରୀ । ପାଦରେ ଅଳତାର ରଙ୍ଗ ପିକା ପଡ଼ିନଥିବା ବେଳେ କରୋନା ଆଗରେ ସବୁଦିନ ପାଇଁ ହାରିଯାଇଛି ମଥାର ସିନ୍ଦୁର । ନୂଆ ଗଢ଼ା ହେବା ପୂର୍ବରୁ ଅଧା ହୋଇ ରହିଯାଇଛି କାହାଣୀ । କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହୋଇ ଜୀବନ ହାରିଦେଲେ । ୨୩ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଦେଲେ ନବବିବାହିତ । ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପଚୋରରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ରାଜଗଡ଼ ଜିଲ୍ଲା ପଚୋର ସହର ନିବାସୀ ୨୫ ବର୍ଷିୟ ଅଜୟ ଶର୍ମା ଏପ୍ରିଲ ୨୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସମସ୍ତ ଗାଇଡଲାଇନ ଅନୁସାରେ ଏକ ମନ୍ଦିରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ବିବାହର ମାତ୍ର ୪ ଦିନ ପରେ ଏପ୍ରିଲ ୨୯ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ପରିବାରର ଅନ୍ୟ ଜଣେ ମହିଳା ସଦସ୍ୟ ମଧ୍ୟ କରୋନାରେ ସଂକ୍ରମତ ହୋଇଥିଲେ । ରିପୋର୍ଟ ଆସିବା ପରେ ଆଇସୋଲେସନରେ ରହିବା ସହ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୋପାଳର ଏକ ହସ୍ପିଟାଲରେ ତାଙ୍କୁ ପରିବାର ଲୋକ ଭର୍ତ୍ତି ହୋଇଥିଲେ । ଶେଷରେ ସପ୍ତାହେ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିବା ପରେ ମେ ୧୭ ତାରିଖରେ ଆଖି ବୁଜି ଦେଇଛନ୍ତି ଅଜୟ ।

ରାଜଗଡ ଜିଲ୍ଲାର ନରସିଂହଗଡ ବ୍ଲକର ମୋତିପୁରା ଗ୍ରାମ ନିବାସୀ ଅନ୍ନୁ ଶର୍ମାଙ୍କୁ ବିବାହ କରିଥିଲେ ଅଜୟ । ଅନ୍ନୁଙ୍କ ପରିବାର ସିହାରରେ ରୁହନ୍ତି। କରୋନାର ଭୟାବହ ପରିସ୍ଥିତିରେ ସୀମିତ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ବିବାହର ଆୟୋଜନ କରାଯାଇଥିଲା। ଅଜୟଙ୍କ ଭାଉଜ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ବିବାହର ମାତ୍ର ୨୩ ଦିନ ପରେ ଜନ୍ମ ଜନ୍ମର ବନ୍ଧନ ତୁଟିଯାଇଛି । ସ୍ୱାମୀଙ୍କୁ ହରାଇ ପାଗିଳୀଙ୍କ ପରି ଚିତ୍କାର କରୁଛନ୍ତି ଅନ୍ନୁ । ଅଜୟଙ୍କୁ ମନେ ପକାଇ ସେ ବେହୋସ ହୋଇଯାଉଛନ୍ତି । ଗୋଟିଏ ପଟେ ପୁଅକୁ ହରାଇଥିବା ବେଳେ ବୋହୂର ଏପରି ଅବସ୍ଥା ଦେଖି ପରିବାରର ଅବସ୍ଥା କହିଲେ ନସରେ ।

ସେପଟେ କୋଭିଡ ପ୍ରୋଟୋକଲ ଅନୁଯାୟୀ ଭୋପାଳର ମୁକ୍ତିଧାମରେ ଅଜୟଙ୍କର ଅନ୍ତିମ ସଂସ୍କାର କରାଯାଇଛି । କରୋନା ସଙ୍କଟ ମଧ୍ୟରେ ବିବାହ କରାଇ ପୁଅକୁ ହରାଇଛି ପରିବାର । କୋଭିଡ ପ୍ରୋଟୋକଲ ଅନୁସରଣ କରିଥିଲେ ବି ବିବାହରେ ଟିକିଏ ଅସାବଧାନତା ନବବିବାହିତଙ୍କ ଜୀବନ ନେଇଗଲା ।

You might also like