କବି ବର୍ବରା ରାଓଙ୍କ ଜୀବନ ବଞ୍ଚାଇବାକୁ ରାଷ୍ଟ୍ରପତିଙ୍କୁ ଚିଠି
ନୂଆଦିଲ୍ଲୀ/ଭୁବନେଶ୍ୱର: ଭୀମା କୋରେଗାଓଁ ହିଂସା ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା କବି ତଥା ଲେଖକ ପି ବର୍ବରା ରାଓ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ତାଙ୍କୁ ସେଣ୍ଟ୍ ଜର୍ଜସ୍ ହସ୍ପିଟାଲ୍ରୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ, ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ି ଥିବାରୁ ତାଙ୍କ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ବର୍ବରା ରାଓଙ୍କୁ ସହଯୋଗ କରିବା ପାଇଁ ଦେଶବ୍ୟାପୀ କବି, ଲେଖକ, ମାନବ ଅଧିକାର ଆଇନଜୀବୀ ଏବଂ ନାଗରିକମାନେ ଏକଜୁଟ୍ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି।
ଓଡ଼ିଶାର ପ୍ରମୁଖ କବି ଓ ଲେଖକମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଖୋଲା ଚିଠି ଲେଖିଛନ୍ତି। ପ୍ରଖ୍ୟାତ କବିଙ୍କ ଜୀବନ ବଞ୍ଚାଇବା ସହ ତାଙ୍କୁ ତୁରନ୍ତ ଜେଲ୍ରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରପତି ହସ୍ତକ୍ଷେପ କରନ୍ତୁ ସେମାନେ ଚିଠି ମାଧ୍ୟମରେ ଜଣାଇଛନ୍ତି।
ଜେଲ୍ ଦଣ୍ଡ ଭୋଗୁଥିବା ବର୍ବରା ରାଓ ଚିକିତ୍ସା ପ୍ରସଙ୍ଗରେ ରାଜ୍ୟ ସରକାର ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସେନେଇ କବି ଓ ଲେଖକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଉକ୍ତ ଚିଠିରେ କବି ତଥା ଲେଖକ କୁମାର ହାସନ୍, ଲେନିନ୍ କୁମାର, ଅଖିଳ ନାୟକ, ଜ୍ୟୋତି ନନ୍ଦ, ଭୀମ ପୃଷ୍ଟିଙ୍କ ସମେତ ଅନ୍ୟମାନଙ୍କ ସ୍ୱାକ୍ଷର ରହିଛି।