୨୦୨୧ ପ୍ରଥମାର୍ଦ୍ଧରେ ବିଶ୍ୱବ୍ୟାପୀ ଦେଖାଦେବ ଟିକା ସଙ୍କଟ
ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଟିକାକରଣ ପାଇଁ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଗତକାଲିଠାରୁ ଦୁଇ ଦିନିଆ ଡ୍ରାଏ ରନ ଆରମ୍ଭ କରାଯାଇଛି। ଟିକାକରଣ ପୂର୍ବରୁ ସମସ୍ତ ପ୍ରସ୍ତୁତିର ଯାଞ୍ଚ କରାଯିବା ସହ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ଏବଂ ପରିବହନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯାଉଛି। ସମସ୍ତ ବ୍ୟବସ୍ଥା ସରିଲେ ଆରମ୍ଭ ହେବ ଟିକାକରଣ।
ଟିକାକରଣ ଆରମ୍ଭ ହେଲେ ଟିକା କିଏ ପାଇବେ, କାହାକୁ ମିଳିବ ନାହିଁ ଏ ନେଇ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ତେବେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଆଶ୍ୱାସନା ଦିଆଯାଇଛି, ଅନୁଷ୍ଠାନ ପାଖରେ କୋଭିସିଲ୍ଡର ୪ରୁ ୫ କୋଟି ଡୋଜ୍ ମହଜୁଦ ରହିଛି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଟିକାକୁ ଭାରତରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଉତ୍ପାଦନ କରୁଛି। ଏହାର ସିଇଓ ଆଦର ପୁନାଓ୍ୱାଲା କହିଛନ୍ତି, ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ମାତ୍ରେ ପ୍ରଥମ ପର୍ଯ୍ୟାୟରେ କଂପାନୀ ପକ୍ଷରୁ ଟିକାର ୪ରୁ ୫ କୋଟି ଡୋଜ୍ ଯୋଗାଇ ଦେବା ସମ୍ଭବ ହୋଇପାରିବ।
ଆସନ୍ତାବର୍ଷ ଜୁଲାଇ ସୁଦ୍ଧା ୩୦ କୋଟି ଡୋଜ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି । ଏଥିସହ ସେ କହିଛନ୍ତି ଯେ, ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚାଲିଥିବା କୋଭାକ୍ସ ଅଭିଯାନରେ ସାମିଲ ଥିବାରୁ କଂପାନୀ ପକ୍ଷରୁ ଯେତିକି ଡୋଜ୍ ଟିକା ଉତ୍ପାଦନ ହେବ, ଅଧା ଭାରତକୁ ଦିଆଯିବ । ବାକି ଅଧା ଅନ୍ୟ କୋଭାକ୍ସ ଦେଶକୁ ଦିଆଯିବ।
ଏଥିସହ ଆଦର ସତର୍କ କରାଇଛନ୍ତି ଯେ, ୨୦୨୧ ପ୍ରଥମାର୍ଦ୍ଧରେ ବିଶ୍ୱବ୍ୟାପୀ ଟିକା ସଂକଟ ଦେଖାଯିବ । ଏହାକୁ ଏଡ଼ାଇବା ସମ୍ଭବ ମଧ୍ୟ ନୁହେଁ। ତେବେ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ଅନ୍ୟ ଟିକା ନିର୍ମାତାମାନେ ମଧ୍ୟ ଉତ୍ପାଦନ ଆରମ୍ଭ କରିସାରିଥିବେ । ଫଳରେ ସ୍ଥିତି ସୁଧୁରିବା ଆଶା କରାଯାଉଛି।
ସେ କହିଛନ୍ତି, ବ୍ରିଟେନ୍ରେ ଭାକ୍ସିନର ଜରୁରୀକାଳିନ ପ୍ରୟୋଗ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରୁ ହୋଇପାରେ। ଏହା ପରେ ଭାରତରେ ଅନୁମତି ମିଳିପାରେ। ଅନୁମତି ମିଳିବାରେ ବିଳମ୍ବ ହେଲେ ଚିନ୍ତା କରିବାର କାରଣ ନାହିଁ ବୋଲି ସେ କହିଛନ୍ତି। କାରଣ ଲୋକଙ୍କ ସୁରକ୍ଷାକୁ ନେଇ ଆମେ କୌଣସି ରିସ୍କ ନେବାକୁ ଚାହୁଁନୁ।