କରୋନା ଭାଇରସ୍‌ କବଳରୁ ରକ୍ଷା କରିବାକୁ ଭ୍ୟାକ୍ସିନ ବାହାର କଲା ଅକ୍ସଫୋର୍ଡ ୟୁନିଭର୍ସିଟିର ଏକ ଗବେଷଣା ଟିମ୍‌

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଭ୍ୟାକ୍ସିନ୍‌ ବିକଶିତ କରିବାରେ ଲାଗିଛନ୍ତି, ଯାହା ନୋଭେଲ୍‌ କରୋନା ଭାଇରସ୍‌କୁ ମାତ୍ ଦେବ। ସେପ୍ଟେମ୍ବର ମାସରେ ଏହି ଭ୍ୟାକ୍ସିନ୍‌ ଉପଲବ୍ଧ ହେବ। ଏହି ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର୍ସା ରା ଗିଲବର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସାରା କହିଛନ୍ତି, ଆମେ ବିକଶିତ କରୁଥିବା ChAdOx1 ଭ୍ୟାକ୍ସିନ୍‌ କରୋନାକୁ ମାତ୍‌ ଦେଇପାରିବ। ସେପ୍ଟେମ୍ବର ମାସରେ ଏହି ଭ୍ୟକ୍ସିନ୍‌ର ଏକ ମିଲିୟନ୍‌ ଡୋଜ୍‌ ଉପଲବ୍ଧ କରାଇବାକୁ ଗବେଷଣାରତ ଟିମ୍‌ ପ୍ରତିଶ୍ରୁତି ଦେଇଛି।

ChAdOx1 ହେଉଛି ବିଶ୍ୱର ଚତୁର୍ଥ କୋଭିଡ୍ -19 ଟିକା ଯାହାକୁ କ୍ଲିନିକାଲ୍ ପରୀକ୍ଷା ପର୍ଯ୍ୟାୟରେ ଅଣାଯାଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଅସ୍କଫୋର୍ଡ ଗ୍ରୁପ୍‌କୁ ଛାଡ଼ିଦେଲେ ଭ୍ୟାକ୍ସିନ୍ ଆବିଷ୍କାରରେ ଲାଗିଥିବା ଅନ୍ୟ ତିନି ପ୍ରତିଯୋଗୀ (ଦୁଇଟି ଆମେରିକୀୟ ଓ ଗୋଟିଏ ଚାଇନିଜ୍‌) ଗବେଷଣା ଟିମ୍‌ ମାସ୍‌ ପ୍ରଡକ୍ସନ ପାଇଁ ୧୨ରୁ ୧୮ ମାସ ସମୟ ନେଉଥିବା ବେଳେ ଅକ୍ସଫୋର୍ଡ ଗବେଷକ ଏହାକୁ ଖୁବ୍ ସମୟରେ ଓ ବହୁ ପରିମାଣରେ ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଫେସର ଗିଲବର୍ଟ କହିଛନ୍ତି ଯେ ତାଙ୍କ ଗବେଷଣା ଟିମ୍ ଭବିଷ୍ୟତରେ ମହାମାହୀର ରୂପ ନେବାକୁ ଥିବା ଏକ୍ସ(ଉଦାହରଣ ସ୍ୱରୁପ ନିଆଯାଇଥିବା ଏକ ନାମ) ନାମରେ ଏକ ରୋଗ ଉପରେ କାର୍ଯ୍ୟ କରୁଛି। ଏଥିପାଇଁ ଆମେ ସମସ୍ତେ ଏକ ଯୋଜନା କରିଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ChAdOx1 ଟେକ୍ନୋଲୋଜିକୁ ବିଭିନ୍ନ ରୋଗ ବିରୋଧରେ ୧୨ ଥର କ୍ଲିନିକାଲ ପର୍ଯ୍ୟାୟରେ ପରୀକ୍ଷଣ କରାଗଲାଣି। ଆଉ ଆମେ କ୍ରମାଗତ ଭାବରେ ଦେଖୁ ଯେ ଏହାର ମାତ୍ର ଗୋଟିଏ ଡୋଜ୍‌ ଭଲ କାମ କରୁଛି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି। RNA ଓ DNA ଭଳି ଅନ୍ୟ ଭ୍ୟକ୍ସିନ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବାକୁ ଦୁଇ ତିନି ଡୋଜ୍‌ରୁ ଅଧିକ ଦେବାକୁ ପଡ଼ୁଥିବା ବେଳେ ChAdOx1 ମାତ୍ର ଗୋଟିଏ ଡୋଜ୍‌ରେ ଭଲ କାର୍ଯ୍ୟ କରୁଛି ବୋଲି ସାରା କହିଛନ୍ତି।

ବିଶ୍ୱବାସୀଙ୍କ ପାଇଁ ସବୁଠାରୁ ଆଶ୍ୱସ୍ତୀର ଖବର ହେଲା ChAdOx1କୁ ନେଇ ଗବେଷଣା କରୁଥିବା ଅକ୍ସଫୋର୍ଡ ଟିମ୍‌ ଏହି ଭ୍ୟାକ୍ସିନ୍‌କୁ ନେଇ ବହୁତ ଆତ୍ମବିଶ୍ୱାସୀ ଅଛନ୍ତି। ତେଣୁ କ୍ଲିନିକାଲ୍‌ ପାର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ଏହାର ତିଆରି କାର୍ଯ୍ୟ ଆରମ୍ଭ ହୋଇଗଲାଣି।

ଏନେଇ ଅକ୍ସଫୋର୍ଡ ପ୍ରୋଫେସର୍‌ ଅଡ୍ରିନ୍‌ ହିଲ୍ କହିଛନ୍ତି, ଏହି ପରୀକ୍ଷା ଉପରେ ଗବେଷଣା ଚଳାଇଥିବା ଟିମ୍‌ର ଦୃଢ଼ ଆତ୍ମ ବିଶ୍ୱାସରହିଛି। ତେଣୁ ସେପ୍ଟେମ୍ବରରେ ପରୀକ୍ଷଣ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିବାକୁ ଚାହୁଁ ନାହାନ୍ତି। ତେଣୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବରେ ଦାୟିତ୍ୱ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ଭ୍ୟାକ୍ସିନ୍‌କୁ ତିଆରି କରାଯାଉଛି। ଏଥିପାଇଁ ୟୁକେରେ ୩ ଔଷଧ ଉତ୍ପାଦନକାରୀ କମ୍ପାନୀ, ୟୁରୋପ୍‌ରେ ଦୁଇ, ଚାଇନା ଓ ଭାରତରେ ଗୋଟିଏ ଲେଖାଏ ମେନୁଫେକ୍ଚରିଂ ୟୁନିଟ୍‌ରେ ଔଷଧ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଆଡ୍ରିନ୍‌ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ChAdOx1 ତିଆରି କରିଥିବା ଗିଲ୍‌ବର୍ଟଙ୍କ ଟିମ୍‌ ସ୍ୱାସ୍ଥ୍ୟଗତ ଗବେଷଣା ପାଇଁ ପୂର୍ବରୁ ଅନେକ ଥର ସମ୍ମାନିତ ହୋଇଛନ୍ତି। ନିକଟରେ ୟୁକେ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଫର୍‌ ହେଲ୍ଥ ରିସର୍ଚର୍‌ ଏବଂ ୟୁକେ ରିସର୍ଚ ଆଣ୍ଡ ଇନୋଭେସନ୍ ତରଫରୁ ଗିଲ୍‌ବର୍ଟଙ୍କ ଟିମ୍‌କୁ ୨.୨ ପାଉଣ୍ଡ ରାଶି ଦେଇ ସମ୍ମାନିତ କରାଯାଇଛି।

You might also like