ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ଆଖି ବୁଜିଲେ ୭ କରୋନା ରୋଗୀ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟାବହ ହେଉଛି କରୋନା। ରୋଗୀଙ୍କ ସଂଖ୍ୟା ଏତେମାତ୍ରାରେ ବଢୁଛି ଯେ, ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇବା ମୁସ୍କିଲ ହୋଇ ଯାଉଛି। ରାଜ୍ୟରେ ଗତକାଲି ପ୍ରାୟ ୬୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ ଦିନକରେ ୯ ହଜାର ୨୦୦ ଲୋକ ସଂକ୍ରମିତ ହୋଇଛନ୍ତି ।

ମୁମ୍ବାଇରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସାରେ ଅବ୍ୟବସ୍ଥା ଦେଖାଦେଇଛି।  ଜୋଗେଶ୍ୱରୀ ଡାକ୍ତରଖାନାରେ ୨ ସପ୍ତାହରେ ୧୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଶନିବାର ଦେଢଘଣ୍ଟା ମଧ୍ୟରେ ପୁଣି ୭ କରୋନା ରୋଗୀ ଆଖି ବୁଜିଛନ୍ତି। ସବୁଠାରୁ ଦୁଃଖର କଥା, ଡାକ୍ତରଖାନାରେ ଅକ୍ସିଜେନ ଅଭାବ ଥିବାରୁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ହସ୍‌ପିଟାଲର ଡାକ୍ତର ଏବଂ ନର୍ସମାନେ ମଧ୍ୟ ଏପରି ସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ନିଜ କ୍ୟାରିୟରରେ ଏମିତି ସ୍ଥିତି କେବେ ଦେଖି ନ ଥିବା ସେମାନେ କହିଛନ୍ତି। ଡାକ୍ତରଖାନାକୁ ଏତେ ସଂଖ୍ୟକ ରୋଗୀ ଆସୁଛନ୍ତି । ହେଲେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ  ପର୍ଯ୍ୟାପ୍ତ ସୁବିଧା ମିଳି ପାରୁନି।

ଡାକ୍ତରଖାନାର ଜଣେ ନର୍ସଙ୍କ କହିବା ଅନୁଯାୟୀ, ଶନିବାର ରାତିରେ ମାତ୍ର ଦୁଇଜଣ MBBS ଗ୍ରାଜୁଏଟ  ଏବଂ ଦୁଇଜଣ ନର୍ସ ଆଇସିୟୁ ଦାୟିତ୍ୱରେ ଥିଲେ। ଦୁଇଜଣ ବରିଷ୍ଠ ଡାକ୍ତର ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଏହି MBBS ଗ୍ରାଜୁଏଟ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଯେତେବେଳେ ରୋଗୀଙ୍କର ନିଃଶ୍ୱାସ ନେବାରେ ଅସୁବିଧା ହେଲା, ସେ ତୁରନ୍ତ ସିନିୟର ରେସିଡେଣ୍ଟ ଡାକ୍ତରଙ୍କୁ ଡାକିବା ପାଇଁ ଯାଇଥିଲେ ଯିଏ କି ୧୦ମ ମହଲାରେ ଦାୟିତ୍ୱରେ ଥିଲେ। ଯାହା ବି ହେଉ, ସେମାନେ ଆଇସିୟୁରେ ପହଞ୍ଚି ଟିକ୍‌ନିସିଆନଙ୍କ ସହାୟତାରେ ଅକ୍ସିଜେନ ଦେଇଥିଲେ। ହେଲେ ଲୋ ଅକ୍ସଜେନ ପ୍ରେସର ଥିଲା । ଯାହାଫଳରେ ରୋଗୀଙ୍କର ମୃତ୍ୟୁ ଘଟିଲା।

ଅନ୍ୟଜଣେ ନର୍ସ ଅଭିଯୋଗ କରିଛନ୍ତି, ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନ ଯୋଗାଇ ଏବଂ ସିଲିଣ୍ଡର ନ ଯୋଗାଇ ଏଠାରେ କୋଭିଡ ରୋଗୀଙ୍କ ପାଇଁ ICU ବେଡ ବଢାଇ ଦିଆଯାଇଛି ଯାହାକି ସମସ୍ୟା ସୃଷ୍ଟି କରିଛି।

ଯାହା ବି ହେଉ, ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ସାଢେ ୪ଟା ବେଳେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଏକ ଜୁରୁରୀକାଳୀନ ବୈଠକ ଡାକାଇଛନ୍ତି। ତେବେ ଅକ୍ସିଜେନ ଅଭାବରୁ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିବାରୁ ଅନ୍ୟ ରୋଗୀମାନେ ଭୟଭୀତ ହେଇ ପଡ଼ିଛନ୍ତି।

You might also like