ଏଇ ସପ୍ତାହରେ ପିକ୍‌ରେ ରହିବ କରୋନା ! ସଂକ୍ରମଣ ହାର କମିବାକୁ ନେଇ ଏମିତି ତଥ୍ୟ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ:କରୋନା ଭାଇରସର ଦ୍ୱିତୀୟ ଲହରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ । ଯେମିିତି କାହାକୁ ବି ଛାଡ଼ିବନି । ଆତଙ୍କ, ଭୟରେ କଟୁଛି ଦିନ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ-କେବେ କମିବ ଏହି ମହାମାରୀର ପ୍ରକୋପ ? କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି ମେ’ ୭ ତାରିଖ କରୋନା ପିକ୍‌ରେ ପହଞ୍ଚିବ । ପ୍ରଫେସର ଏମ ବିନ୍ଦୁସାଗରଙ୍କ କହିବା ଅନୁଯାୟୀ, ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଦରକାର ।

ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ ପ୍ରଫେସର ବିନ୍ଦୁସାଗର କହିଛନ୍ତି, ଏହି ସପ୍ତାହରେ କରୋନା ପିକ୍‌ରେ ରହିବ । ଏହାପରେ ସଂକ୍ରମଣ ହାର ହ୍ରାସ ପାଇବ । ସେ କହିଛନ୍ତି, ଅନେକ ରାଜ୍ୟରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ପ୍ରତି ରାଜ୍ୟରେ କରୋନାର ପିକ୍‌ ଟାଇମ୍‌ ଅଲଗା ରହିବ ବୋଲି ସେ କହିଛନ୍ତ । ହେଲେ କରୋନାର ବଢୁଥିବା ସଂଖ୍ୟାକୁ ଦେଖିବା ପରେ ଅନୁମାନ କରାଯାଉଛି, ଏଇ ସପ୍ତାହରେ ସଂକ୍ରମଣ ପିକ୍‌ରେ ରହିବ କିମ୍ବା ଏହାର ପାଖାପାଖି ପହଞ୍ଚିବ ।

ପ୍ରଫେସର ବିିନ୍ଦୁସାଗର ସୂଚନା ଦେଇ କହିଛନ୍ତି, ଯଦି ଏହି ଅନୁମାନ ସତ ହୁଏ ତେବେ ଦେଶ ପାଇଁ ଏହା ବଡ ଆଶ୍ୱସ୍ତିର କଥା । କାରଣ ମହାମାରୀର ଏହି ତୃତୀୟ ଲହର ଦେଶରେ ଯେପରି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । କରୋନା ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢି ଯାଇଛି ଯେ, ଡାକ୍ତରଖାନାରେ ବେଡର ଅଭାବ ଦେଖା ଦେଇଛି । ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ଦେଖା ଦେଇଛି ।

ଗତ ୭ ଦିନର ସଂଖ୍ୟାକୁ ଦେଖିଲେ ଜଣାପଡ଼ୁଛି, ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କେଉଁଠି ବଢୁଛି ତ କେଉଁଠି କମୁଛି । ତେବେ ଆମକୁ କେବଳ ଏହାର ନମ୍ବର ଦେଖିଲେ ଚଳିବ ନାହିଁ । ଏହାର ପ୍ରତିଶତ ଦେଖିବାକୁ ପଡ଼ିବ । କେଉଁ ହାରରେ ବଢୁଛି ଦେଖିବାକୁ ପଡ଼ିବ । ପ୍ରଫେସର କହିଛନ୍ତି, ମୁଁ କରୋନାର ସଂଖ୍ୟାକୁ ନେଇ ଯେତିକି ତଥ୍ୟ ରଖିଛି, ସେଥିରୁ ଅନୁମାନ କରୁଛି, ଚଳିତ ସପ୍ତାହର ଶେଷ ଆଡକୁ ସଂକ୍ରମଣ ହାର ହ୍ରାସ ପାଇବ ।

ସେ ଆହୁରି ମଧ୍ୟ କହିଛନ୍ତି, ମହାମାରୀର ପିକ୍‌ ସମୟ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ରହିବ । କରୋନାର ଦ୍‌:ିତୀୟ ଲହର ମହାରାଷ୍ଟ୍ରରେ ପ୍ରଥମେ ଆରମ୍ଭ ହୋଇଥିଲା । ତେଣୁ କରୋନାର ପିକ୍‌ ମଧ୍ୟ ଏଠାରେ ପ୍ରଥମେ ଆସିବ । ସଂକ୍ରମଣ ହାର ଏହି ରାଜ୍ୟରେ ପ୍ରଥମେ ହ୍ରାସ ପାଇବ । ଏହାପରେ ମହାରାଷ୍ଟ୍ର ସହ ସଲଗ୍ନ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବ । ସେହିପରି ମହାରାଷ୍ଟ୍ରୁଠାରୁ ଦୂରରେ ଥିବା ରାଜ୍ୟ ଗୁଡ଼ିକରେ ପିକ୍‌ ସମୟ ବିଳମ୍ବରେ ଆସିବ ଏବଂ ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଇବ । ତେବେ ମେ’ ମାସ ପରେ କୌଣସି ରାଜ୍ୟରେ କରୋନା ସଂକ୍ରମଣ ପିକ୍‌ରେ ରହିବ ନାହିଁ ବୋଲି ପ୍ରଫେସର ବିନ୍ଦୁସାଗର ରହିଛନ୍ତି ।

You might also like