କରୋନା କବଳରେ ଭାରତ: ଜାଣନ୍ତୁ କେଉଁ କେଉଁ ଦେଶ ଭାରତକୁ କରୁଛନ୍ତି ସାହାଯ୍ୟ

ସହଯୋଗ କରୁଛନ୍ତି ୪୦ ଦେଶ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଥିବା ବେଳେ ବିଦେଶରୁ ଭାରତକୁ ମିଳୁଛି ବଡ ଆଶ୍ୱସ୍ତି। ଗୋଟେ ପରେ ଗୋଟେ ରାଷ୍ଟ୍ର ଏବେ ଭାରତ ପାଇଁ ବଢ଼ାଉଛନ୍ତି ସହାୟତାର ହାତ। ପଡୋଶୀ ରାଷ୍ଟ୍ରଠୁ ଆରମ୍ଭ କରି ସୁପର ପାୱାର ଯାଏଁ, କରୋନା ତ୍ରସ୍ତ ଭାରତକୁ ମିଳୁଛି ଅନ୍ୟ ରାଷ୍ଟ୍ରରୁ ସହଯୋଗର ପ୍ରତିଶ୍ରୁତି। କରୋନା ତ୍ରସ୍ତ ଭାରତକୁ ବିଶ୍ୱର ପ୍ରାୟ ୪୦ଟି ଦେଶ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଭାରତରେ କରୋନାର କରାଳ କାୟା ଦେଖି, ତରଳିଲା ବିଶ୍ୱ ସମୁଦାୟର ହୃଦୟ। ମହାମାରୀର ଭୟାବହତାକୁ ଦେଖି ଭାରତକୁ ଛୁଟିଛି ବିପୁଳ ସହାୟତାର ସୁଅ। ଆୟାରଲ୍ୟାଣ୍ଡରୁ ଆମେରିକା, ଇଂଲଣ୍ଡରୁ ଋଷ୍, ଛୋଟ ଦେଶଠୁ ଆରମ୍ଭ କରି ସୁପର ପାୱାର ଯାଏ ସମସ୍ତେ ଭାରତକୁ ସହାୟତା ପାଇଁ ଏବେ ଆଗଭର ହୋଇଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ଋଷରୁ ସହାୟତା ସାମଗ୍ରୀ ନେଇ ଆସିଥିବା ବିମାନ ଅବତରଣର ଦୃଶ୍ୟ ଦେଖିବା ପରେ ଆଶ୍ୱସ୍ତି ହେଉଛନ୍ତି ଲୋକେ। ଭାରତର ପାରମ୍ପରିକ ମିତ୍ର ରାଷ୍ଟ୍ର ଭାବେ ଜଣାଶୁଣା ଋଷିଆରୁ ଆସିଛି ୨୦ଟି ଅକ୍ସିଜେନ୍ କନ୍ସେନ୍ଟ୍ରେଟର, ୭୫ଟି ଭେଣ୍ଟିଲେଟର, ୧୫୦ଟି ବେଡ୍ସାଇଡ୍ ମନିଟର, ଜରୁରୀ ମେଡିସିନ୍ ଓ ଅନ୍ୟାନ୍ୟ ମେଡିକାଲ ଉପକରଣ।

୨ଟି ସ୍ୱତନ୍ତ୍ର ବିମାନ ଯୋଗେ ଏସବୁ ଆସି ଭାରତରେ ପହଞ୍ଚିଛି। ବଡ଼ କଥା ହେଉଛି କରୋନା ମୁକାବିଲା କ୍ଷେତ୍ରରେ ସହାୟତା ପାଇଁ ଋଷିଆ ଏହାର କରୋନା ସଞ୍ଜିବନୀ ଟିକା ସ୍ପୁଟନିକ ଭି ମଧ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛି। ମେ ପହିଲାରେ ଭାରତକୁ ଆସିବ ପ୍ରଥମ ପର୍ଯ୍ୟାୟ ସ୍ପୁଟନିକ-ଭି ଭ୍ୟାକ୍ସିନ୍। ସେପଟେ ଇଂଲଣ୍ଡରୁ ୧୨୦ ଅକ୍ସିଜେନ କନସେନଟ୍ରେଟର ନେଇ ଦିଲ୍ଲୀରେ ପହଞ୍ଚିଛି ସ୍ୱତନ୍ତ୍ର ବିମାନ।

ଏପଟେ ଚୀନ୍ ଭାରତକୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛି। ଭାରତର ବର୍ଦ୍ଧିତ ଆବଶ୍ୟକତା ମେଣ୍ଟାଇବା ପାଇଁ ଅକ୍ସିଜେନ୍ କନ୍ସେନ୍ଟ୍ରେଟର ଓ ଅନ୍ୟ ଚିକିତ୍ସା ସାମଗ୍ରୀ ପଠାଇବାକୁ ବିଚାର କରୁଥିବା ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ୱାଙ୍ଗ୍ ୱେନବିନ କହିଛନ୍ତି। ଗତ କିଛି ଦିନ ଭିତରେ ଚୀନ୍ ତୃତୀୟ ଥର ପାଇଁ ଏପରି ଇଚ୍ଛା ପ୍ରକାଶ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ବି ଆଗାମୀ ଦିନରେ ଭାରତକୁ ୧୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର କୋଭିଡ୍ ରିଲିଫ୍ ସାମଗ୍ରୀ ପଠାଇବ। ଏ ଭିତରେ ଜରୁରୀକାଳୀନ ସ୍ୱାସ୍ଥ୍ୟରକ୍ଷା ସାମଗ୍ରୀ ନେଇ ଏକ ବିମାନ ଭାରତ ଅଭିମୁଖେ ଯାତ୍ରା କରିଥିବା କଥା ହ୍ୱାଇଟ୍‌ ହାଉସ୍ ପକ୍ଷରୁ କୁହାଯାଇଛି।

ଏଥିରେ କାଲିଫର୍ଣ୍ଣିଆରୁ ଆସିଥିବା ୪୪୦ଟି ଅକ୍ସିଜେନ୍ ସିଲିଣ୍ଡର୍, ରେଗୁଲେଟର୍ ସହ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାପିଡ୍ ଡାଇଗ୍ନୋଷ୍ଟିକ୍ ଟେଷ୍ଟ୍ ଓ ବିପୁଳ ପରିମାଣର ମାସ୍କ୍ ରହିଛି। ବିମାନ ଯୋଗେ ଆହୁରି ଅନେକ ସିଲିଣ୍ଡର୍ ମଧ୍ୟ ଭାରତକୁ ପଠାଯିବ ବୋଲି ଭରସା ଦେଇଛି ଆମେରିକା। ବିଶ୍ୱର ପ୍ରାୟ ୪୦ଟି ଦେଶ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ବୈଦେଶିକ ସଚିବ।

ଫ୍ରାନ୍ସ ଚଳିତ ସପ୍ତାହରେ ୮ଟି ବଡ଼ ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ୍ ସହ ରେସ୍ପିରେଟର ଏବଂ ଇଲେକଟ୍ରିକ ସିରିଞ୍ଜ୍ ପୁଶର୍ ପଠାଉଛି। ଆସନ୍ତା ସପ୍ତାହରେ ୫ଟି ତରଳ ଅମ୍ଳଜାନ କଣ୍ଟେନର ପଠାଇବାକୁ ଯୋଜନା ରଖିଛନ୍ତି ଫ୍ରାନ୍ସ ସରକାର। ଜର୍ମାନୀ ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ ସହ ୧୨୦ ଭେଣ୍ଟିଲେଟର ଏବଂ ଜୀବନ ରକ୍ଷାକାରୀ ଉପକରଣ ଉପଲବ୍ଧ କରାଇବ ବୋଲି କହିଛି। ଅଷ୍ଟ୍ରେଲିଆ ୫୦୦ ଭେଣ୍ଟିଲେଟର, ୧ ମିଲିୟନ୍ ସର୍ଜିକାଲ୍ ମାସ୍କ, ୫ ଲକ୍ଷ P2 ଏବଂ N95 ମାସ୍କ ସହ ଅନ୍ୟାନ୍ୟ ମେଡିକାଲ ଉପକରଣ ପଠାଇବ। ଦିଲ୍ଲୀ ପାଇଁ ୪ଟି କ୍ରାୟୋଜେନିକ୍ ଅକ୍ସିଜେନ କଣ୍ଟେନର ଯୋଗାଇଦେଇଛି ସିଙ୍ଗାପୁର। ସେହପରି ସାଉଦି ଆରବ ୮୦ ମେଟ୍ରିକ୍ ଟନ୍ ତରଳ ଅମ୍ଳଜାନ ସମୁଦ୍ର ପଥରେ ପଠାଇସାରିଛି। ସଂଯୁକ୍ତ ଆରବ ଏମିରେଟ୍ସ ୬ଟି କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କର୍ ପଠାଇଛି। ଆଉ ଆୟର୍ଲାଣ୍ଡ ବି ୭୦ଟି ଅକ୍ସିଜେନ କନସେନଟ୍ରେଟର ପଠାଉଛି।

You might also like