ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୧୦୦ରୁ ଅଧିକ ଲୋକ; ମୁଣ୍ଡ ବୁଲାଇବା ସହିତ ବାନ୍ତି ବି ହେଲା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପଶ୍ଚିମଗୋଦାବୀର ଜିଲ୍ଲାର ଇଲୁରୁ ଅଞ୍ଚଳରେ ୧୦୦ରୁ ଅଧିକ ଲୋକ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହଠାତ୍‌ ଲୋକମାନଙ୍କର ମୁଣ୍ଡବୁଲାଇବା ସହିତ ବାନ୍ତି ଓ ମୁଣ୍ଡବିନ୍ଧା ହୋଇଥିଲା। ଏହାପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ତ ହୋଇପଡ଼ିଥିବା ଲୋକମାନେ ହେଲେ ଆନ୍ଧ୍ରପ୍ରେଦଶ ଇଲୁରର ନର୍ଥ ଷ୍ଟ୍ରିଟ୍‌, ସାଉଥ୍ ଷ୍ଟ୍ରିଟ୍‌, ଅରୁନ୍ଧତିପେଟ୍ ଏବଂ ଅଶୋକ ନଗର ଅଞ୍ଚଳର।

ସମସ୍ତଙ୍କର ଇଲୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ତେବେ ଜଣେ ନାବାଳିକାଙ୍କୁ ଉତ୍ତମ ଚିକିତ୍ସା ପାଇଁ  ବିଜୟୱାଡା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ପ୍ରାଥମିକ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ, ଦୂଷିତ ଜଳ ବ୍ୟବହାର କରିବାରୁ ଏପରି ହୋଇଥିବା କୁହାଯାଉଛି। ତେବେ ଏନେଇ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ଅଞ୍ଚଳ ପରିଦର୍ଶନ କରିବା ସହିତ ପାଣି ସାମ୍ପଲ ଓ ବ୍ଲଡ୍‌ ସାମ୍ପଲ୍‌ ସଂଗ୍ରହ କରିବାକୁ କହିଛି। ତା ସହିତ ସ୍ଥାନୀୟ ଅଧିକାରୀ ମଧ୍ୟ ପ୍ରତ୍ୟେକ ଘରେ ମେଡିକାଲ ଟେଷ୍ଟ କରାଇଛନ୍ତି। ଘଟଣା ସମ୍ପର୍କରେ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବା ସହିତ ପୀଡ଼ିତଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଏସ୍ ଜଗନମୋହନ ରେଡ୍ଡୀ କହିଛନ୍ତି।

You might also like