ପରାକ୍ରମ ଦିବସରେ କଣ କହିଲେ ମୋଦି?
କୋଲକାତା: ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ ୧୨୫ ଜୟନ୍ତୀ ସମାରୋହ ଅବସରରେ କୋଲକାତାର ଭିକ୍ଟୋରିଆଲ ମେମୋରିଆଲରେ ଯୋଗ ଦେଇ ମୋଦି କହିଛନ୍ତି ଯେ ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କଲା ଭଳି ସମୟ।ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା। କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ ତାଜୁବ ହେଉଥିଲା। ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ନେତାଜୀ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପ୍ରେରଣା ବୋଲି ସେ କହିଛନ୍ତି। ହାୱଡ଼ା ମେଲ୍ର ନାଁ ନେତାଜୀ ଏକ୍ସପ୍ରେସ କରାଯାଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ନେତାଜୀ ରାଣୀ ଝାନ୍ସି ରେଜିମେଣ୍ଟ କରି ମହିଳାଙ୍କୁ ଆଗକୁ ଆଣିଥିଲେ। ନିଜ ଭୂମିରେ ନିଜ ସରକାର ପାଇଁ ନେତାଜୀ ସଂକଳ୍ପ ନେଇଥିଲେ। ଆଣ୍ଡାମାନରେ ଜାତୀୟ ପତାକା ଉଡ଼ାଇ ନିଜ ସଂକଳ୍ପ ପୂରା କରିଥିଲେ। ଆଣ୍ଡାମାନର ଉକ୍ତ ଦ୍ୱୀପକୁ ନେତାଜୀଙ୍କ ନାଁରେ ନାମିତ କରାଗଲା। କିଏ ଏମିତି ଅଛି, ଯାହା ପଛରେ ପୂରା ବ୍ରିଟିଶ ସରକାର ଲାଗିଥିଲେ। ପୂରା ବ୍ରିଟିଶ ସରକାର ତାଙ୍କ ପଛରେ ଲାଗିଥିଲେ ବି ସେ ଖସି ଯାଇଥିଲେ ବୋଲି ମୋଦି କହିଛନ୍ତି।
ଦୁନିଆର କୌଣସି ଶକ୍ତି ନାହିଁ ଯିଏ ଭାରତକୁ ଆତ୍ମନିର୍ଭରରୁ ରୋକିପାରିବ। ଆଜି ସାରା ଦେଶବାସୀଙ୍କୁ ସଶକ୍ତ କରିବାକୁ ପ୍ରୟାସ ଚାଲିଛି। ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଦେବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନୂଆ ଶିକ୍ଷା ନୀତି ଲାଗୁ କରାଯାଇଛି, ନୂଆ ଭାରତ ଆକାର ନେଉଛି। ଆଜି ଭାରତର ଉନ୍ନତି ଦେଖିଥିଲେ ନେତାଜୀଙ୍କୁ କିଭଳି ଲାଗିଥାନ୍ତା? ବିଶ୍ୱକୁ ଭ୍ୟାକ୍ସିନ ଦେବା ଦେଖିଥିଲେ ନେତାଜୀ କେତେ ଖୁସି ହୋଇଥାନ୍ତେ। ନିଜ ଲକ୍ଷ୍ୟ ହାସଲ ପାଇଁ ଅନବରତ ପ୍ରୟାସ ନେତାଜୀଙ୍କ ଠାରୁ ଶିଖ। ନିଜ ସିଦ୍ଧାନ୍ତକୁ ପୂରା କରିବାକୁ ସେ ଯେକୌଣସି ସ୍ତରକୁ ଯାଉଥିଲେ। ଆତ୍ମନିର୍ଭର ଭାରତର ନେତୃତ୍ୱ ଆଜି ବେଙ୍ଗଲକୁ ନେବାର ଅଛି। ନେତାଜୀଙ୍କ ଭଳି ଆମ ସଂକଳ୍ପର ପ୍ରାପ୍ତି ପାଇଁ ଅଟକିବାର ନାହିଁ।
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି ପରାକ୍ରମ ଦିବସ ତ କେଉଁଠି ଦେଶନାୟକ ଦିବସ ପାଳିତ ହେଉଛି ।
ନେତାଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ନେଇ ଅଲଗା ଅଲଗା କାର୍ଯ୍ୟକ୍ରମ ପାଳନ ହେଉଛି ପଶ୍ଚିମବଙ୍ଗରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶନାୟକ ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ଥର ଆରମ୍ଭ ହୋଇଛି ପରାକ୍ରମ ଦିବସ। ମୋଦି ଓ ମମତାଙ୍କ କାର୍ଯ୍ୟକ୍ରମକୁ ନେଇ ଏକରକମ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ।
ମୋଦି ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲୋ। ଅନ୍ୟପଟେ ଉତ୍ତର କୋଲକାତାରେ ଜନ ସମାବେଶ ଆୟୋଜନ କରିଥିଲେ ମମତା। ହେଲେ ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି।