ବାଜିଲା ୪ ରାଜ୍ୟ ଓ ପୁଡୁଚେରି ବିଧାନସଭା ନିର୍ବାଚନୀ ବିଗୁଲ୍: ଜାଣନ୍ତୁ କେବେ କେଉଁଠି ପଡିବ ଭୋଟ?

ପଶ୍ଚିମବଙ୍ଗରେ ୮ ଏବଂ ଆସାମରେ ୩ଟି ପର୍ଯ୍ୟାୟରେ ମତଦାନ

  • ବାଜିଲା ୪ ରାଜ୍ୟ ଓ ପୁଡୁଚେରି ବିଧାନସଭା ନିର୍ବାଚନୀ ବିଗୁଲ୍
  • ପଶ୍ଚିମବଙ୍ଗରେ ୮ ଏବଂ ଆସାମରେ ୩ଟି ପର୍ଯ୍ୟାୟରେ ମତଦାନ
  • କେରଳ, ତାମିଲନାଡୁ, ପୁଡୁଚେରିରେ ଗୋଟିଏ ଦିନରେ ଭୋଟ୍
  • ମାର୍ଚ୍ଚ ୨୭ରୁ ପ୍ରଥମ ପର୍ଯ୍ୟାୟ ଭୋଟିଂ, ମେ ୨ରେ କାଉଣ୍ଟିଂ

ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ କେନ୍ଦ୍ରିଶାସିତ ଅଞ୍ଚଳ ପୁଡିଚେରୀ ବିଧାନସଭା ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ। କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ନିର୍ବାଚନ ହେବାକୁ ଥିବା ବେଳେ, ଆସାମରେ ୩ଟି ପର୍ଯ୍ୟାୟ ଓ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ମାର୍ଚ୍ଚ ୨୭ରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ଓ ଏପ୍ରିଲ ୨୯ ତାରିଖରେ ଶେଷ ହେବ। ମେ ଦୁଇରେ ସମସ୍ତ ରାଜ୍ୟର ଭୋଟ୍ ଗଣତି ହେବ ବୋଲି ସୂଚନା ରହିଛି।

ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ଓ ପୁଡୁଚେରୀ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍। କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ନିର୍ବାଚନ ହେବାକୁ ଥିବା ବେଳେ, ଆସାମରେ ୩ଟି ପର୍ଯ୍ୟାୟ ଓ ପଶ୍ଚିମବଙ୍ଗରେ ୮ଟି  ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ତେବେ ସମସ୍ତ ରାଜ୍ୟର ଭୋଟ୍ ଗଣତି ମେ ୨ରେ ହେବ। ପଶ୍ଚିମବଙ୍ଗର ମୋଟ ୨୯୪ ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ପାଇଁ ମାର୍ଚ୍ଚ ୨୭ରେ, ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଆସନ ପାଇଁ ଏପ୍ରିଲ ୧ରେ, ତୃତୀୟ ପର୍ଯ୍ୟାୟରେ ୩୧ ଆସନ ପାଇଁ ଏପ୍ରିଲ ୬ରେ, ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନ ପାଇଁ ଏପ୍ରିଲ ୧୦ରେ, ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ପାଇଁ ଏପ୍ରିଲ ୧୭ରେ, ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ ପାଇଁ ଏପ୍ରିଲ ୨୨ରେ, ସପ୍ତମ ପର୍ଯ୍ୟାୟରେ ୩୬ ଆସନ ପାଇଁ ଏପ୍ରିଲ ୨୬ରେ ଏବଂ ଅଷ୍ଟମ ତଥା ଶେଷ ପର୍ଯ୍ୟାୟରେ ୩୫ ଆସନ ପାଇଁ ଏପ୍ରିଲ ୨୯ରେ ଭୋଟଗ୍ରହଣ ହେବ।

ଆସାମରେ ମୋଟ ୧୨୬ ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏହାସହ ପ୍ରଥମ ପର୍ଯ୍ୟାୟରେ ଆସନ ପାଇଁ ମାର୍ଚ୍ଚ ୨୭ରେ, ଦ୍ୱିତୀୟ ପର୍ଯ୍ୟାୟରେ ୩୯ ଆସନ ପାଇଁ ଏପ୍ରିଲ ୧ରେ ଏବଂ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୪୦ ଆସନ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ ବୋଲି ଜଣାପଡିଛି।

ସେପଟେ କେରଳର ୧୪୦, ତାମିଲନାଡ଼ୁର ୨୩୪ ଓ ପୁଡୁଚେରୀର ୩୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ୍ ୬ରେ ଭୋଟ୍ ଗ୍ରହଣ ହେବ। ତାରିଖ ଘୋଷଣା ସହ ୪ଟି ଯାକ ରାଜ୍ୟ ସହ ପୁଡୁଚେରୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ନିର୍ବାଚନରେ ମୋଟ୍ ୧୮.୬ କୋଟି ଭୋଟର୍ ୨.୭ ଲକ୍ଷ କେନ୍ଦ୍ରରେ ମତଦାନ କରିବାକୁ ଥିବା ବେଳେ, ସମ୍ବେଦନଶୀଳ କେନ୍ଦ୍ର ଗୁଡ଼ିକରେ ସିଏପିଏଫ୍ ଯବାନ ମୁତୟନ ହେବେ।

ଜାଣିରଖନ୍ତୁ କେଉଁ ରାଜ୍ୟରେ କଣ ରହିଛି ରାଜନୈତିକ ପାଣିପାଗ?

ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟଙ୍କ ମଧ୍ୟରୁ ଫୋକସରେ ରହିଛି ପଶ୍ଚିମବଙ୍ଗ। ଏଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ ଲାଗି ଅଣ୍ଟା ଭିଡିଛି ବିଜେପି। ୨୦୧୯ ସାଧାରଣ ନିର୍ବାଚନରେ ୧୮ଟି ଲୋକସଭା ଆସନ ଜିତିବା ପରେ ବିଜେପି ବଙ୍ଗ ବିଜୟ ଅଭିଯାନକୁ ଜୋରଦାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳୀୟ ହେଭିୱେଟଙ୍କ ଘନ ଘନ ପଶ୍ଚିମବଙ୍ଗ ଗସ୍ତ ସହ ଦିଦିଙ୍କ ଦୁର୍ଗକୁ ଧରାଶାୟୀ କରିବା ଲାଗି ଦଳ ପ୍ରସ୍ତୁତ କରିଛି ରଣନୀତି।

ଏଠାରେ ଅସ୍ଥିତ୍ୱ ବଜାୟ ରଖିବା ଲାଗି ସଂଘର୍ଷ କରିବେ କଂଗ୍ରେସ ଓ ବାମମେଣ୍ଟ। ଠିକ୍ ସେହିପରି କେରଳରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟରେ ମୁଖ୍ୟ ମୁକାବିଲା ଥିବା ବେଳେ ମେଟ୍ରୋ ମ୍ୟାନ ଶ୍ରୀଧରନଙ୍କୁ ଅସ୍ତ୍ର କରି କଳେବର ବଢାଇବା ଚକ୍କରରେ ରହିଛି ବିଜେପି। ଜୟଲଳିତାଙ୍କ ମୃତ୍ୟୁ, ଏଆଇଡିଏମକରେ କ୍ଷମତା କନ୍ଦଳ, ଶଶୀକଳାଙ୍କ ପୁନଃ ଆବିର୍ଭାବ, ରାଜନୈତିକ ମଇଦାନରେ ଅଭିନେତା କମଲ ହାସନଙ୍କ ପଦାର୍ପଣ ବିଭିନ୍ନ ଘଟଣାକ୍ରମକୁ ନେଇ ଗୋଳିଆ ରହିଛି ତାମିଲନାଡୁର ସ୍ଥିତି। ଆସାମରେ କ୍ଷମତା ବଜାୟ ରଖିବା ସମ୍ଭାବନା ଉଜ୍ୱଳ ଥିବା ବେଳେ, କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ କଂଗ୍ରେସରେ କନ୍ଦଳ ଓ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ସରକାରର ପତନ ପରେ ବିଜେପି ଓ ଏହାର ସହଯୋଗୀଙ୍କୁ କେତେ ଫାଇଦା ମିଳୁଛି ନିର୍ବାଚନ ଫଳ ପ୍ରକାଶ ପରେ ହିଁ ତାହା ସ୍ପଷ୍ଟ ହେବ।

You might also like