କରୋନା ନେଇଗଲା ମା’ ସହ ୫ ପୁଅଙ୍କ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଏପରି ପରିସ୍ଥିତିରେ  ଝାଡଖଣ୍ଡରୁ ଆସିଥିବା ଏଇ ଖବର ହୃଦୟକୁ ଥରାଇ ଦେବ। ଏକ ହସଖୁସିର ପରିବାରକୁ କରୋନା ଛାରଖାର କରିଦେଇଛି। କରୋନା ସଂକ୍ରମଣରେ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ମା’ଙ୍କର ମୃତ୍ୟୁ ଘଟିଛି।  ଦୁଃଖର କଥା ହେଉଛି, ମା’ଙ୍କ ଶବକୁ କାନ୍ଧ ଦେବା ପାଇଁ କେହି ପୁଅ ଆଉ ନାହାନ୍ତି। ଗୋଟିଏ ପରେ ଗୋଟିଏ ହୋଇ ୫ ପୁଅଙ୍କର ଜୀବନ ନେଇ ଯାଇଛି କରୋନା। ଆଉ ଗୋଟିଏ ପୁଅ  ଗୁରୁତର ଅବସ୍ଥାରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ୧୫ ଦିନ ଭିତରେ ପରିବାର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଦେଶରେ ବୋଧହୁଏ ଏହା ପ୍ରଥମ ଘଟଣା ଯେଉଁଥିରେ କରୋନା ଗୋଟିଏ ପରିବାରକୁ ଏପରି ଭାଙ୍ଗି ଦେଇଛି।

ଏହି ଘଟଣା ଘଟିଛି ଧାନବାଦ୍‌ର କାଟ୍ରାସ ଅଞ୍ଚଳରେ। ସ୍ଥାନୀୟ ରାନୀ ବଜାରରେ ରହୁଥିବା ପରିବାରର ଷଷ୍ଠ ସଦସ୍ୟଙ୍କର ସୋମବାର କରୋନା ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ୮୮ ବର୍ଷ ବୟସ୍କା ତାଙ୍କ ମା’ଙ୍କର ଜୁଲାଇ ୪ ରେ ବୋକାରୋସ୍ଥିତ ଏକ ନର୍ସିଂହୋମରେ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା ଯେ ସେ କରୋନା ପଜିଟିଭ୍ ଥିଲେ। ତା’ପରେ ରାଞ୍ଚିର ରିମ୍ସ କୋଭିଡ ହସ୍ପିଟାଲରେ ତାଙ୍କର ଜଣେ ପୁଅଙ୍କର ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଦ୍ୱିତୀୟ ପୁଅ କେନ୍ଦ୍ରୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ବରଣ କରିଥିଲା।

ମୃତ୍ୟୁର ତାଣ୍ଡବ ଏତିକିରେ ବନ୍ଦ ହୋଇ ନଥିଲା।  ତୃତୀୟ ପୁଅକୁ ଧାନବାଦର ଏକ ଘରୋଇ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ହେଲେ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ତାଙ୍କ ଡ୍ରାଇଭର ତାଙ୍କୁ PMCH କୁ ନେଇଥିଲେ, କିନ୍ତୁ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷଣା କରାଯାଇଥିଲା | ଜୁଲାଇ ୧୬ରେ, ଚତୁର୍ଥ ପୁଅ ମଧ୍ୟ ଜାମସେଦପୁରରେ କର୍କଟ ରୋଗରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ବରଣ କରିଥିଲେ। ପଞ୍ଚମ ପୁତ୍ରଙ୍କୁ ଧାନବାଡର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରିମ୍ସ ରାଞ୍ଚିରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ସୋମବାର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏମିତି ଭାବେ ମହିଳା ଓ ତାଙ୍କର ୫ ପୁଅ ଆଖି ବୁଜି ଦେଲେ ଏଥିସହିତ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

କୁହାଯାଉଛି, ଜୁନ୍ ମାସରେ ମହିଳା ଜଣକ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଦିଲ୍ଲୀରୁ କାଟ୍ରାସସ୍ଥିତ ତାଙ୍କ ଘରକୁ ଆସିଥିଲେ। ଠିକ୍ ସେତିକିବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୋକାରୋସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା।

ଗତ ମାସରେ ଏଇ ପରିବାର ହସ ଖୁସିରେ ଉଛୁଳି ପଡ଼ୁଥିଲା। ହେଲେ  ଏହି ପରିବାରରେ ଏବେ ନିରବତା ଛାଇ ଯାଇଛି।  ବିଶ୍ୱ ମହାମାରୀ କରୋନା ଯୋଗୁଁ ପରିବାରର ୬ ଜଣ ସଦସ୍ୟ ଅକାଳରେ ମୃତ୍ୟୁ ବରଣ କରିଛନ୍ତି।

 

 

 

ଆହୁରି ପଢ଼ନ୍ତୁ

You might also like