ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬

ମୁମ୍ବାଇ: ଭାରତରେ ପୁଣି ଏକ ମୁଣ୍ଡ ନେଲା କରୋନା ଭାଇରସ୍‌। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସେ ଡାଇବେଟିସ୍‌ ଏବଂ ବ୍ଲଡପ୍ରେସର ଆକ୍ରାନ୍ତ ଥିଲେ।  ଏହି ମାମଲାକୁ ମିଶାଇଲେ ଦେଶରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି।

ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତିଙ୍କୁ ୧୬ ମାର୍ଚ୍ଚରେ ମୁମ୍ବାଇର କସ୍ତୁରବା ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ କରୋନା ପଜିଟିଭ ଥିବା ଜଣା ପଡ଼ିଥିଲା। ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ମାର୍ଚ୍ଚ ୧୯ ତାରିଖ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତେହି ଏହି ବ୍ୟକ୍ତିଙ୍କର ପୂର୍ବରୁ ଡାଇବେଟିସ, ବ୍ଲଡ ପ୍ରେସର ଥିଲା ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏହା ଛଡ଼ା ତାଙ୍କର ହୃଦ୍‌ଘାତ ସମସ୍ୟା ଥିବା ଜଣାପଡ଼ିଛି। ମାର୍ଚ୍ଚ ୨୧ ତାରିଖ ରାତି ପ୍ରାୟ ୧୧ଟା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସେ ବିଦେଶ ଯାଇ ନ ଥିବା ଜଣାଯାଇଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କାଲି ପୁଣି ୬୦ଟି ନୂଆ ମାମଲା ସାମ୍ନକୁ ଆସିଛି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୨୪ରେ ପହଞ୍ଚିଛି। କରୋନା ମୁକାବିଲା ପାଇଁ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ କରାଯାଇଛି। ସାରା ଦେଶରେ ସକାଳ ୭ଟାରୁ ରାତି ୯ଟା ଯାଏ ଏହି କର୍ଫ୍ୟୁ ଲାଗି ରହିବ। ସାରା ଦେଶ ଯେମିତି ଆଜି ଠପ୍ ହୋଇଯାଇଛି। ସବୁ ରାଜ୍ୟରେ ଲୋକେ ଏହାକୁ ମାନି ନିହାତି ଦରକାର ନ ପଡ଼ିଲେ ଘରୁ ବାହାରୁ ନାହାନ୍ତି।

ଅନ୍ୟପକ୍ଷେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ଇଟାଲିରେ ଥିବା ୨୬୩ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ଆଜି ଦେଶକୁ ଫେରୁଛି। ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ପରେ ITBP ରେଣ୍ଟାଇନ କ୍ୟାମ୍ପକୁ ନିଆଯିବ।

You might also like