ଫାଇଜର ଓ ମଡର୍ଣ୍ଣା ପରି ବିଦେଶୀ ଭ୍ୟାକ୍ସିନ ଭାରତ ଆସିବାର ରାସ୍ତା ସଫା

ନୂଆଦିଲ୍ଲୀ : ଫାଇଜର ଓ ମଡର୍ଣ୍ଣା ପରି ଭ୍ୟାକ୍ସିନକୁ ଭାରତର ମଞ୍ଜୁରୀ । ବିଦେଶୀ ଟିକା ଭାରତ ଆସିବାର ସମସ୍ତ ରାସ୍ତା ବର୍ତ୍ତମାନ ସଫା ହୋଇଯାଇଛି । ଉଭୟ କମ୍ପାନୀର ଟିକାକୁ ଲୋକାଲ ଟ୍ରାଏଲ କରାଯିବ ନାହିଁ । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଫାଇଜର ଏବଂ ମଡର୍ଣ୍ଣା ପରି ବିଦେଶୀ ଟିକା ଉପରେ ସ୍ଥାନୀୟ ପରୀକ୍ଷା ସର୍ତ୍ତ ହଟାଇ ଦେଇଛି । କୌଣସି ବିଦେଶୀ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ଆମେରିକାର ଏଫଡିଏ ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲେ, ସେହି ଟିକାକୁ ଭାରତରେ ଆଉ ପରୀକ୍ଷା କରାଯିବ ନାହିଁ । ଯଦ୍ୱାରା ଭାରତରେ ଏହି ଦୁଇ ଟିକାକୁ ବିନା ପରୀକ୍ଷଣରେ ବ୍ୟବହାର କରିହେବ ।

ନିର୍ଦ୍ଦିଷ୍ଟ ଦେଶ କିମ୍ବା ସ୍ୱାସ୍ଥ୍ୟ ସଂସ୍ଥାର ଅନୁମୋଦନ ପାଇଥିଲେ ଭାରତରେ ଟିକା ଗୁଡ଼ିକର ଗୁଣବତ୍ତା ପରୀକ୍ଷା କରାଯିବ ନାହିଁ ବୋଲି DCGIର ଏକ ଚିଠିରେ କୁହାଯାଇଛି । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକା ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି DCGIର ମୁଖ୍ୟ ଭି.ଜି ସୋମାନି । ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଭାରତରେ ଏପରି ବିଦେଶୀ ଟିକାକୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆମେରିକାର FDA, EMA, ୟୁକରେ MHRA, PMDA ଜାପାନ ଦ୍ୱାରା ଅନୁମୋଦିତ କିମ୍ବା WHOର ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନୁର୍ଭୁକ୍ତ ଟିକାକୁ ଭାରତ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ସେପଟେ ଖୁବଶୀଘ୍ର ଦେଶରେ ଛୋଟ ପିଲାଙ୍କୁ ଭ୍ୟାକ୍ସିନ ଦିଆଯିବ, ଏନେଇ ଟ୍ରାଏଲ ଚାଲୁଥିବା ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ । ପିଲାଙ୍କୁ ସଂକ୍ରମଣ ହେଉଥିଲେ ବି ଅତି ଗୁରୁତର ଅବସ୍ଥାକୁ ନେଉନି କରୋନା ଭୂତାଣୁ । ତେଣୁ ଅତି ଅଳ୍ପ କେସରେ ପିଲାଙ୍କୁ ହସ୍ପିଟାଲରେ ଆଡମିଶନ କରିବାକୁ ପଡୁଛି ବୋଲି କହିଛନ୍ତି । କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଇରସ ତାର ରୂପ ବଦଳାଉଛି, ତେଣୁ ପରିସ୍ଥିତି ମଧ୍ୟ ବଦଳିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଖାଲି ସେତିକି ନୁହେଁ ପିଲାଙ୍କୁ ସାଧାରଣତଃ ଦୁଇଟି କ୍ଷେତ୍ରରେ ଅସୁବିଧା ହେଉଥିବା ଦେଖାଯାଉଛି  । ପ୍ରଥମତଃ ସାଧାରଣ ରୋଗୀ ଭଳି ସଂକ୍ରମଣ ହେଉଥିବା ଦେଖାଯାଉଛି । ଏଥି ସହ କରୋନାରୁ ସୁସ୍ଥ ହେବାର ୨ରୁ ୬ ସପ୍ତାହ ପରେ ପୁଣି ସମସ୍ୟା ଉପୁଜୁଛି । ତେଣୁ ଏଥିପ୍ରତି ସତର୍କ ରହିବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଭିକେ ପଲ୍ ।

You might also like