ବାଲଟ୍‌ ପେପରରେ ଭୋଟିଂ ପାଇଁ ବିରୋଧିଙ୍କ ଦାବୀ

ନୂଆଦିଲ୍ଲୀ : ଦେଶର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବାକୁ ଆରମ୍ଭ ହୋଇଛି କସରତ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଆଲୋଚନା ଏଜେଣ୍ଡାର ଫୋକସରେ ଥିଲା ଇଭିଏମ ଓ ଭିଭିପାଟ୍। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ଟ୍ୟାମ୍ପରିଂ କରାଯିବା ଆଶଙ୍କା ରହୁଥିବାରୁ ପୁଣି ବାଲଟ୍ ପେପରରେ ମତଦାନ ଲାଗି ତୃଣମୂଳ କଂଗ୍ରେସ ସମେତ ଅନ୍ୟ କିଛି ଦଳ ଦାବି କରିଛନ୍ତି। ତେବେ ଏନ୍‌ଡିଏ ଅଂଶୀଦାର ଦଳମାନେ ଏହାକୁ ବିରୋଧ କରିଥିଲେ। ଏହାଦ୍ୱାରା ବୁଥ୍ କ୍ୟାପଚରିଂ ସମେତ ଅନ୍ୟାନ୍ୟ ଅନିୟମିତତା ବଢିବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ।

ସେପଟେ ଭିଭିପାଟ୍ ସ୍ଲିପ୍‌ର ଅତିକମ୍‌ରେ ୩୦ ପ୍ରତିଶତ ଇଭିଏମ୍ ସହ କ୍ରସ୍‌ ଚେକିଂ ପାଇଁ ଦାବି କରିଛି କଂଗ୍ରେସ। ତେବେ ଇଭିଏମ୍‌କୁ ନେଇ ଅାଉ ପଛକୁ ଫେରିବାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ସ୍ପଷ୍ଟ କରିଛନ୍ତି। ସେହିପରି ବିଜେଡି ମଧ୍ୟ ଇଭିଏମ୍ ବ୍ୟବହାର ସପକ୍ଷରେ ମତ ଦେଇଛି। ଇଭିଏମ୍ ବ୍ୟତୀତ ରାଜନୈତିକ ଦଳଙ୍କ ସର୍ବୋଚ୍ଚ ଖର୍ଚ୍ଚସୀମା ନିର୍ଦ୍ଧାରଣ, ଏହାର କଡ଼ାକଡ଼ି ପାଳନ, ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ, ମହିଳାଙ୍କ ଲାଗି ଅାସନ ସଂରକ୍ଷଣ ଏବଂ ଓ୍ୱାନ୍ ନେସନ ଓ୍ୱାଲ୍ ପୋଲ ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜନୈତିକ ଦଳମାନେ ମତାମତ ରଖିଥିଲେ। ସେହିପରି ପେଡ୍ ନ୍ୟୁଜ୍, ଓପିନିଅନ ଓ ଏକଜିଟ୍ ପୋଲକୁ ନେଇ ବି ଅନେକ ଦଳ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ଅାଚରଣ ବିଧି ଲାଗୁ ସହ ଏସବୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବାକୁ ସେମାନେ ଦାବି କରିଛନ୍ତି।

ତେବେ ସମସ୍ତ ମତାମତକୁ ତର୍ଜମା କରି ନିର୍ବାଚନ ବ୍ୟବସ୍ଥାରେ କିପରି ଅଧିକ ସୁଧାର ଅଣାଯାଇପାରିବ ସେନେଇ କମିଶନ ପଦକ୍ଷେପ ନେବେ ବୋଲି କହିଛନ୍ତି। ପ୍ରତିଥର ସାଧାରଣ ନିର୍ବାଚନ ପୂର୍ବରୁ କମିଶନ ସର୍ବଦଳୀୟ ବୈଠକ ଡାକି ଏମିତି ବିଚାରବିମର୍ଶ କରିଥାଆନ୍ତି। ତେଣୁ ଅାଜିର ବୈଠକ ରୁଟିନ୍ ବୈଠକ ହୋଇଥିଲେ ମଧ୍ୟ ଦେଶରେ ଅାଗୁଅା ନିର୍ବାଚନ ନେଇ ଯେଉଁ କଳ୍ପନାଜଳ୍ପନା ଚାଲିଥିଛି, ସେହି ଚର୍ଚ୍ଚାକୁ ଏହା ଅାଉ ଟିକେ ଖୋରାକ ଯୋଗାଇଛି।

You might also like