ନୂଆଦିଲ୍ଲୀ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ଆୟୋଜିତ ହୋଇଥିବା ରାଷ୍ଟ୍ର ମଞ୍ଚ ସଭା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାୟ ୧୫ଟି ରାଜନୈତିକ ଦଳର ନେତା ଏହି ବୈଠକରେ ଏକାଠି ହେଉଛନ୍ତି। ବୈଠକର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସୋମବାର ପ୍ରଶାନ୍ତ କିଶୋର ଏବଂ ଶରଦ ପାୱାରଙ୍କ ବୈଠକ ପରେ କୁହାଯାଉଛି ଯେ ଦେଶରେ ତୃତୀୟ ସାମ୍ମୁଖ୍ୟ ପ୍ରସ୍ତୁତିକୁ ଜୋରଦାର କରିବାବେଳେ ପାୱାର ଏହି ବୈଠକ କରୁଛନ୍ତି। ଯଶବନ୍ତ ସିହ୍ନା ୨୦୧୮ରେ ମୋଦୀ ସରକାରଙ୍କ ନୀତି ବିରୋଧରେ ରାଷ୍ଟ୍ର ମଞ୍ଚ ଗଠନ କରିଥିଲେ। ସିହ୍ନା ବର୍ତ୍ତମାନ ଟିଏମ୍‌ସିର ଉପ-ସଭାପତି ଅଛନ୍ତି।

ତେବେ ଆଜିର ଏହି ବୈଠକକୁ ନେଇ ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ ଯୋଗଦେବାକୁ ଥିବା ଦଳ ଏ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ଏହା ତୃତୀୟ ସାମ୍ମୁଖ୍ୟ ବୈଠକ ନୁହେଁ ବୋଲି ଏନସିପି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି କେବଳ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା ପାଇଁ ଏହି ବୈଠକ ଡକାଯାଇଥିବା ଏନସିପି କହିଛି। ତେବେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଏହି ମେଳିକୁ ବିରୋଧୀ ଦଳଗୁଡ଼ିକର ବୈଠକ କହିବା ଠିକ୍ ନୁହେଁ  କାରଣ ଏଥିରେ ସବୁ ବିରୋଧୀ ଦଳ ନାହାନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି ବୈଠକରେ ନିଜର ମନ୍ତବ୍ୟ ଦେବାକୁ ମନା କରି କହିଛନ୍ତି ଯେ ଏହା ରାଜନୀତି ଉପରେ ଆଲୋଚନା କରିବାର ସମୟ ନୁହେଁ। କରୋନା ମହାମାରୀ ସମ୍ବନ୍ଧରେ ଏକ ଡିଜିଟାଲ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ସେ କେବଳ କୋଭିଡ ସ୍ଥିତି ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ହେବାକୁ ଥିବା ପ୍ରସ୍ତୁତି ବିଷୟରେ ଆଲୋଚନା କରିବାକୁ ଚାହୁଁଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ସମେତ ଅନେକ ବିରୋଧୀ ଦଳ ଏବଂ ବାମପନ୍ଥୀ ଦଳର ନେତାମାନେ ଏହି ବୈଠକରେ ଏକତ୍ରିତ ହୋଇଥିଲେ। ଶାସକ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ କଳ୍ପନା ଜଳ୍ପନା ଥିବାବେଳେ ଏହି ବୈଠକ ହୋଇଛି।

Other Stories