ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ବୁଥ୍‌ ରିଗିଂ, ଧସ୍ତାଧସ୍ତି

କୋଲକାତା: ଦେଶରେ ଆଜି ୬ଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ବିଶେଷକରି ପଶ୍ଚିମବଙ୍ଗରେ ବେଶି ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗର ବାଙ୍କୁରା ଲୋକସଭା ନିର୍ବାଚନମଣ୍ଡଳୀର ୨୫୪ ନମ୍ବର ବୁଥରେ ଭୋଟ୍ ଗ୍ରହଣବେଳେ ଉତ୍ତେଜନା ପ୍ରକାଶ ପାଇଛି।  ବୁଥରେ ତୃଣମୂଳ କଂଗ୍ରେସ କର୍ମୀମାନେ ରିଗିଂ କରୁଥିବା ନେଇ ବିଜେପି କର୍ମୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଟିଏମ୍‌ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ପୋଲିସ ପହଞ୍ଚି ବୁଥ ଆଖପାଖରୁ ଲୋକଙ୍କୁ ଘଉଡ଼ାଇଥିଲା। କେବଳ ଭୋଟରଙ୍କୁ ଛାଡ଼ି ଅନ୍ୟମାନଙ୍କୁ ବୁଥ୍ ନିଷିଦ୍ଧାଞ୍ଚଳରୁ ବାହାର କରିଥିଲେ ସୁରକ୍ଷାକର୍ମୀ ।

କେବଳ ବାଙ୍କୁରା ନୁହଁ, ଅନ୍ୟ ନିର୍ବାଚନମଣ୍ଡଳୀରେ ମଧ୍ୟ ଉତ୍ତେଜନା ଓ ହିଂସାକାଣ୍ଡ ଘଟିଛି। ମିଦନାପୁରର ଗୋପାଳପୁରରେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଗାଡ଼ି ଉପରେ ଟିଏମ୍ସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେହିପରି ଘାଟାଲ ଆସନର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ୍ ଅଫିସର ଭାରତୀ ସିଂହଙ୍କୁ ମଧ୍ୟ ଧସ୍ତାଧସ୍ତି କରାଯାଇଥିବା ଅଭିଯୋଗ ଆସିଛି ଆଜି ନିର୍ବାଚନ ହେଉଥିବା ୮ଟି ଆସନର ୨୦ଟି ବୁଥରେ ରିଗିଂ ହୋଇଥିବା ଅଭିଯୋଗ କରିଛି ବିଜେପି ।

ସେହିପରି ଝାରଗ୍ରାମରେ ବିଜେପିକୁ ଭୋଟ୍ ଦେବା ଲାଗି କେନ୍ଦ୍ରୀୟ ସୁରକ୍ଷାକର୍ମୀ ଲୋକଙ୍କୁ ଉସୁକାଉଥିବା ନେଇ ଟିଏମ୍‌ସି ଅଭିଯୋଗ କରିଛି । ରାଜ୍ୟର ବାଙ୍କୁରା, ବିଷ୍ଣୁପୁର, ମିଦନାପୁର, ଘାଟାଲ, ଝାରଗ୍ରାମ, ପୁରୁଲିଆ, ତାମଲୁକ ଓ କଣ୍ଟାଇରେ ଭୋଟ୍ ଗ୍ରହଣ ହେଉଛି । ୨୦୧୪ରେ ଟିଏମ୍‌ସି ଏହି ସମସ୍ତ ଆସନରେ ବିଜୟୀ ହୋଇଥିଲା

You might also like