“ଲକଡାଉନ୍‌ କର, ନଚେତ୍‌ ଲୋକ ମଲେ କେନ୍ଦ୍ର ସରକାର ହିଁ ଦାୟୀ”

ଲକଡାଉନ୍‌ ରୋକିବ କରୋନା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେବାରେ ଲାଗିଛି ମହାମାରୀ। ସ୍ଥିତି ଗୋଟିଏ ପ୍ରକାର ସାଙ୍ଘାତିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କୁ କିଛି ପରାମର୍ଶ ଦେଇଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କବିଛନ୍ତି ଯେ, ଦେଶରେ ବର୍ତ୍ତମାନ ଯେଉଁପରି ସ୍ଥିତି ହେଲାଣି କେନ୍ଦ୍ର ସରକାର ଆଉ ଡେରି ନକରି ଦେଶକୁ ସଂପୂର୍ଣ୍ଣ ଲକଡ଼ାଉନ୍‌ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ।କରୋନାର ଏହି ଦ୍ୱିତୀୟ ଲହର ରୋକିବାର ଗୋଟିଏ ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ । ଏହି ପରାମର୍ଶ ଟ୍ୱିଟ କରି ଲେଖିଛନ୍ତି ରାହୁଲ ଗାନ୍ଧୀ।

ଶ୍ରୀଗାନ୍ଧୀ କହିଛନ୍ତି ଯେ, ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତି ଘଂଟାରେ ହଜାର ହଜାର ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ସରକାର ଏଭଳି ପରିସ୍ଥିତିରେ ଯଦି ଲକଡାଉନ୍‌ ନକରି କରୋନା ସଂକ୍ରମଣକୁ ନ ରୋକନ୍ତି ତେବେ ସରକାର ଜାଣିଶୁଣି ନୀରିହ ଲୋକଙ୍କୁ ମାରୁଛନ୍ତି ବୋଲି ଆମେ ଭାବିନେବା।  ଗତ ବର୍ଷ ମଧ୍ୟ ଯେତେବେଳେ ସରକାର ଲକଡାଉନ ଘୋଷଣା କରିଥିଲେ, ସେତେବେଳେ ରାହୁଲ ଏହାକୁ ବିରୋଧ କରିଥିଲେ, ଆଉ କହିଥିଲେ ଲକଡାଉନ କେବଳ କରୋନାର ଗତିକୁୁ ରୋକିଥାଏ । ତାକୁ ମୂଳରୁ ଶେଷ କରିନଥାଏ । ହେଲେ ଏଥର ସେ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ଦାବି କରିଛନ୍ତି ।

ଏହାସହ କଂଗ୍ରେସ କହିଛି ଯେ, ପୂର୍ବବର୍ଷ ଦେଶରେ ବହୁତ କମ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଥିବା ପରେ ବି କେନ୍ଦ୍ର ସରକାର ବାରମ୍ବାର ଲକଡାଉନ୍‌ ଓ ସଟଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ ପୂର୍ବଅପେକ୍ଷା ସ୍ଥିତି ଆହୁରି ଖରାପ ରହିଛି। ତେଣୁ ସରକାର କାଳବିଳମ୍ବ ନକରି ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଦଳ କହିଛି। ଏହାସହ ଦେଶରେ ଯେଉଁ ପରି ଭାବରେ ଅକ୍ସିଜେନ୍‌ ଅଭାବ କାରଣରୁ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ମୋଦି ସରକାରକୁ କଡ଼ା ସମାଲୋଚନା କରିବା ସହ ଅକ୍ସିଜେନ୍‌ କେମିତି ସୁବିଧାରେ ମିଳିବ ସେନେଇ ବ୍ୟବସ୍ଥା କରିବାକୁ ଦଳ କହିଛି।

ଏପଟେ, କରୋନାର ଦ୍ୱିତୀୟ ଲହର ଦେଶରେ ଭୟାନକ ସ୍ଥିତି ସୃଷ୍ଟି କରିଛି । ସୋମବାର ସୁଦ୍ଧା ଦେଶର କରୋନା ରୋଗୀଙ୍କ ସଂଖ୍ୟା ୨ କୋଟି ଛୁଇଁଛି । ଭାରତ ବିଶ୍ୱର ୨ୟ ଦେଶ ଯେଉଁଠି ୨ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ଗତ ୧୩୭ ଦିନରେ ମାମଲା ୧ କୋଟିରୁ ୨ କୋଟି ପାର ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪୪୯ ଲୋକଙ୍କର ଜୀବନ ନେଇଛି କରୋନା । ସେହିପରି ସୋମବାର ଦିନ ୨.୯୯ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

You might also like