ଏଣିକି ଏହି ରାଜ୍ୟରେ ୫୦ ନୁହେଁ ୨୦ ଜଣରେ ବିବାହ ଉତ୍ସବ..

ଶିମଲା: ଭୟଙ୍କର ହେଲାଣି କରୋନା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ତେବେ ଏହାରି ମଧ୍ୟରେ ଗହଳି କମାଇବା ସହ ସାମାଜିକ ଦୂରତା ମାନିବାକୁ ବାରମ୍ବାର କହୁଛନ୍ତି ସରକାର। କରୋନା ଚେନ୍‌କୁ ଭାଙ୍ଗିବାକୁ କଟକଣା ମଧ୍ୟ କଡ଼ାକଡ଼ି କରାଯାଉଛି। ଆଉ ଏହାରି ମଧ୍ୟରେ ବିବାହ ସମାରୋହରେ ପୁଣି ଥରେ ଅତିଥିଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁସାରେ, ଏଣିକି ୫୦ ନୁହେଁ ମାତ୍ର ୨୦ ଜଣଙ୍କୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ଏଭଳି କଟକଣା ଏବେ ହିମାଚଳ ପ୍ରଦେଶରେ ଲାଗୁ କରାଯାଇଛି। ନିୟମ ଅନୁସାରେ, କରୋନା ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏହି କଟକଣା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାସହ କରୋନା ସଂକ୍ରମଣ ନକମିଲେ ଆଗାମୀ ଦିନରେ ଲକଡାଉନ୍‌ ନିଷ୍ପତ୍ତି ନିଆଯିବାର ମଧ୍ୟ ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ସ୍ଥିତି ନେଇ ସମୀକ୍ଷା ମଧ୍ୟ ହୋଇଥିଲା। ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାର କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସମୟରେ କୌଣସି ଜିନିଷରେ ଅଭାବ ନାହିଁ। ଅକ୍ସିଜେନ, ଔଷଧ, ଭ୍ୟାକସିନ, ପିପିଇ କିଟ ସମେତ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ହୋଇ ରହିଛି। ହସ୍ପିଟାଲମାନଙ୍କରେ ବେଡ଼ କ୍ଷମତା ବଢ଼ାଇ ଦିଆଯାଇଛି। ପ୍ରାଇଭେଟ ହସ୍ପିଟାଲମାନଙ୍କରେ ୫୦ ପ୍ରତିଶତ ବେଡ଼ କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସମୟରେ ସାରା ଦେଶରେ ସ୍ଥିତି ଭୟଙ୍କର ରହିଛି। ତେଣୁ ସରକାର କରୋନାକୁ ନେଇ ଯେଉଁ ନିୟମ କରିଛନ୍ତି ତାହାକୁ ମାନିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦିଆଯାଇଛି।

You might also like