ଧ୍ୟାନ ଦିଅନ୍ତୁ ରାଜଧାନୀ ଏକ୍ସପ୍ରେସ ଯାତ୍ରୀ: ଏଣିକି ସପ୍ତାହକୁ ମାତ୍ର ଏତିକି ଦିନ ଚାଲିବ ଏହି ଟ୍ରେନ୍‌

ସପ୍ତାହକୁ ୨ ଥର ଚାଲିବ ରାଜଧାନୀ

ଭୁବନେଶ୍ୱର:  ଟ୍ରେନ୍‌ ଚଳାଚଳ ଉପରେ ପ୍ରଭାବ ପକାଇଲା କରୋନା। ଏଣିକି ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଚାଲିବ। ଯାତ୍ରୀ ହେଉନଥିବା ତଥା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏମିତି ପଦକ୍ଷେପ ନେଇଛି ରେଳବାଇ। ସୂଚନା ଅନୁସାରେ, ରାଜଧାନୀ ଏକ୍ସପ୍ରେସ ଭାୟା ଟାଟା ଭୁବନେଶ୍ୱରରୁ କେବଳ ମଙ୍ଗଳବାର ଚାଲିବ। ଏହାସହ ମେ ୨୧ରୁ ଜୁନ ୧ ଭିତରେ କେବଳ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବ ରାଜଧାନୀ ଏକ୍ସପ୍ରେସ୍‌। ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା-ଭୁବନେଶ୍ୱରରୁ କେବଳ ରବିବାର ଚାଲିବାକୁ ଥିବା ବେଳେ ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା ନୂଆଦିଲ୍ଲୀରୁୁ କେବଳ ସୋମବାର ଚାଲିବ ବୋଲି ସୂଚନା ମିଳିଛି।

ଏହି ଟ୍ରେନ ଭୁବନେଶ୍ୱରରୁ ୨୬, ନୂଆଦିଲ୍ଲୀରୁ ୨୮ରେ ବାତିଲ ରହିବ। ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ରାଉରକେଲା ମଧ୍ୟ ବାତିଲ ରହିବ ବୋଲି ସୂଚନା ମିଳିଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମେ ୨୨ ଓ ୨୯ରେ ଭୁବନେଶ୍ୱରରୁ, ୨୩ ଓ ୩୦ରେ ନୂଆଦିଲ୍ଲୀରୁ ରାଜଧାନୀ ଟ୍ରେନ୍‌ ବାତିଲ ରହିବ। ପୂର୍ବତଟ ରେଳପଥର ୬ଟି ଦୂରଗାମୀ, ପାସେଞ୍ଜର ଓ ମେମୁ ଟ୍ରେନ ବି ବାତିଲ ହେବା ନେଇ ନିଷ୍ପତ୍ତି ହୋଇଛି। କେବଳ ରାଜଧାନୀ ଏକ୍ସପ୍ରେସ ନୁହେଁ ବରଂ ଆଉ କିଛି ଟ୍ରେନର ସମୟ ନିର୍ଘଣ୍ଟ ପରିବର୍ତ୍ତନ, ସାମୟିକ ବାତିଲ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ସଂକ୍ରମଣ ବଢୁଥିବାରୁ ଦେଶବ୍ୟାପୀ ୨୮ଟି ଏକ୍ସପ୍ରେସ ତଥା ସ୍ପେଶାଲ ଟ୍ରେନ୍ ଚଳାଚଳକୁ ବାତିଲ କରିବାକୁ ରେଲୱେ  ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ଲଗାତାର ଭାବେ ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ୨୮ଟି ଟ୍ରେନକୁ ମେ ୯ରୁ ବାତିଲ କରିବାକୁ  ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ଏହି ୨୮ଟି ଟ୍ରେନ ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ ଓ ଦୂରନ୍ତ  ଏକ୍ସପ୍ରେସ ରହିଛି।

ମିଳିଥିବା ସୂଚନା ଅନୁସାରେ, ବଢ଼ିଚାଲିଥିବା କରୋନା ସଂକ୍ରମଣ ସ୍ଥିତି ଏବଂ ଯାତ୍ରୀଙ୍କ ସଂଖ୍ୟା ହ୍ରାସକୁ ଦେଖି ଅନିର୍ଦ୍ଦିଷ୍ଟ କାଳ ଯାଏ ଟ୍ରେନ୍ ସେବାକୁ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଦିଲ୍ଲୀ ଦେଇ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିବା ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ୍ କରାଯାଇଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଯାଇ ପୁଣି ଥରେ ଏସବୁ ଟ୍ରେନ୍ ଚାଲିପାରେ ବୋଲି ଆଶଙ୍କା କରାଯାଉଛି।

You might also like