ବର ୟୁପିର, କନ୍ୟା ହିମାଚଳର… ଅନଲାଇନରେ ପଡିଲା ହାତଗଣ୍ଠି

ମଣ୍ଡି: ମହାମାରୀ କରୋନା ସବୁକିଛି ବଦଳେଇ ଦେଲା । ଜୀବନଶୈଳୀ, ପାରିବାରିକ ସମ୍ପର୍କ… ଏପରିକି ସଂସ୍କୃତି, ରୀତି ନୀତି ମଧ୍ୟ ବାଦ ଯାଇନି କରୋନା କବଜାରୁ । ବିବାହ ଶୈଳୀରେ ବି ପରିବର୍ତ୍ତନ ଆସିଛି । କେଉଁଠି ବର କନ୍ୟାକୁ ବାଡି ସାହାଯ୍ୟରେ ବରଣ ମାଳା ପିନ୍ଧଉଛି ତ କେଉଁଠି ଅନଲାଇନ ମାଧ୍ୟମରେ ବାହାଘର ହେଉଛି ।

ଅନଲାଇନ୍‌ରେ ଆମେ ଘରେ ବସି ସବୁ ଜିନିଷ ମଗାଇ ପାରୁଛେ । ପୋଷାକପତ୍ରଠାରୁ ଖାଇବା ପର୍ଯ୍ୟନ୍ତ । ହେଲେ ଅନଲାଇନରେ ବି ବାହାଘର ହେବ..ଏକଥା କେବେ ମଣିଷ ଭାବି ନ ଥିଲା । ହେଲେ କରୋନା ଏସବୁକୁ ସମ୍ଭବ କରିଦେଇଛି । ଏମିତି ଏକ ଅନଲାଇନ ବାହାଘର ମଣ୍ଡି ଜିଲ୍ଲାରେ ହୋଇଛି । ଶନିବାର ସନ୍ଧ୍ୟାରେ ୟୁପିର ଗ୍ରେଟର ନଏଡାରେ ଏକ ଅନଲାଇନ ବାହାଘର ହୋଇଛି ।

ଉତ୍ତରପ୍ରଦେଶ ମୁରାଦାବାଦର ମୋହିତ ଚୌହାନ ଏବଂ ହିମାଚଳ ପ୍ରଦେଶ ମଣ୍ଡିର ବାସିନ୍ଦା ପ୍ରତିମା ଠାକୁର ଏକ ନିଆରା ଢଙ୍ଗରେ ବିବାହ କରିଛନ୍ତି । ମୋହିତ ଏବଂ ପ୍ରତିଭା ଉଭୟେ ପେଷାରେ ସପ୍ଟଓୟାର ଇଞ୍ଜିନିୟର । ଉଭୟେ ଅନଲାଇନ୍‌ରେ ବିବାହ କରିଛନ୍ତି । ଏହି ବିବାହରେ କନ୍ୟା ପକ୍ଷ ଲୋକ କି ବର ଘର ଲୋକ କେହି ବି ଉପସ୍ଥିତ ନ ଥିଲେ । କାହାରି ପକ୍ଷରୁ କେହି ବନ୍ଧୁବାନ୍ଧବ, ସମ୍ପର୍କୀୟ କେହି ନ ଥିଲେ । କେବଳ ଉପସ୍ଥିତ ଥିଲେ ଉଭୟଙ୍କ ମାତା, ପିତା ଭର୍ଚୁଆଲ ବାହାଘର ରୀତିନିତିକୁ ଦେଖୁଥିଲେ । ଗୁଗୁଲ ମିଟ୍‌ରେ ସମସ୍ତେ ଏକାଠି ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଲେ । ସବୁଠାରୁ ମଜା କଥା ହେଲା, ବାହାଘର ବେଳେ ପଣ୍ଡିତ ମଧ୍ୟ ଅନ୍‌ଲାଇନରେ ମନ୍ତ୍ରପାଠ କରୁଥିଲେ ଏବଂ ବାହାଘର କରୁଥିଲେ ।

ମୋହିତ ଚୌହାନ ଏବଂ ପ୍ରତିଭା ୫ ବର୍ଷ ତଳୁ ପରସ୍ପରକୁ ଜାଣିଥିଲେ । ଉଭୟଙ୍କର ବିବାହ ଏପ୍ରିଲ ୩୦ ତାରିଖରେ ହେବାର ଥିଲା । କୋଭିଡ କଟକଣା ଅନୁଯାୟୀ, ୫୦ ଜଣ ବରଯାତ୍ରୀଙ୍କୁ ନେଇ ବର ହିମାଚଳ ଯାଇଥାନ୍ତେ । ହେଲେ କରୋନାର ଦ୍‌:ିତୀୟ ଲହର ସବୁକିଛି ଏପାଖସେପାଖ କରିଦେଲା । ବିବାହ କାର୍ଯ୍ୟକ୍ରମରେ ୧୦ ଜଣ ଲୋକ ବି ଉପସ୍ଥିତ ରହିବେ ନାହିଁ ବୋଲି ନିୟମ କରିଦେଲା ପ୍ରଶାସନ । ଏପ୍ରିଲ ୨୮ ତାରିଖ ପରିବାର ଲୋକଙ୍କ ସହ ବିଚାର ବିମର୍ଷ କରିବା ପରେ ଭର୍ଚୁଆଲ ବାହାଘର କରିବେ ବୋଲି ନିଷ୍ପତ୍ତି ନେଲେ । ଏପ୍ରିଲ ୨୮ ତାରିଖ ଦିନ ପୁଣି ଥରେ ଶୁଭ ବେଳା ବାହାର କରାଗଲା । ମେ ୧ ତାରିଖ ମଧ୍ୟାହ୍ନ ୧ଟାରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଏହି ସମୟରେ ପଣ୍ଡିତ, କନ୍ୟା ଓ ବରର ପିତାମାତା ଏବଂ ଅନ୍ୟ ବନ୍ଧୁବାନ୍ଧବ ଅନ୍‌ଲାଇନ ବାହାଘରରେ ସାମିଲ ହୋଇଥିଲେ ।

 

You might also like