ସଂକ୍ରମଣ ଭିତରେ ଆରମ୍ଭ ହେବ ଅନଲାଇନ୍ ପାଠପଢ଼ା

ସ୍କୁଲ ଓ କଲେଜ ପାଇଁ ଆସିଲା ଗାଇଡଲାଇନ୍‌

କରୋନା ସଙ୍କଟ ମଧ୍ୟରେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆରମ୍ଭ ହେବ ଅନଲାଇନ୍ ପାଠପଢ଼ା । ଉତ୍ତରପ୍ରଦେଶରେ ମେ ୨୦ ପର ଠାରୁ ପ୍ରାଥମିକ ଶିକ୍ଷାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ତରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ଭର୍ଚୁଆଲ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତିି ନିଆଯାଇଛି । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ କର୍ଫ୍ୟୁକୁ ମେ ୨୪ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆଜି ଠାରୁ କରୋନା କର୍ଫ୍ୟୁ ମଧ୍ୟରେ କମ୍ୟୁନିଟି କିଚେନ୍ ବ୍ୟବସ୍ଥା ଜାରି ରହିବ । ସେହିପରି ଆବଶ୍ୟକୀୟ ଓ ଜରୁରୀ ସେବାକୁ ଅନୁମତି ମିଳିବ । ଏହା ବ୍ୟତୀତ ପ୍ରାଥମିକ ଶିକ୍ଷାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ତରରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏହା ପୂର୍ବରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଥିଲା । ସଂକ୍ରମଣ ବଢ଼ୁଥିବାରୁ ଅନଲାଇନ୍ କ୍ଲାସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । ମେ ୨୦ ପରେ ସ୍କୁଲ ଓ କଲେଜରେ ଅନଲାଇନ୍ କ୍ଲାସ ଆରମ୍ଭ ହେବ କିନ୍ତୁ ଅଫଲାଇନ୍ କ୍ଲାସ କରିବାକୁ ଅନୁମତି ଦିଆଯାଇ ନାହିଁ ।

ତେବେ ଏହି ବୈଠକରେ ପରୀକ୍ଷା ତାରିଖକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ମେ ୨୦ ପରେ UPMSP UP Board 10th, 12th Board ପରୀକ୍ଷା ତାରିଖ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ପରୀକ୍ଷା ତାରିଖ ବାତିଲ ହୋଇ ନଥିବାରୁ ଜୁନ , ଜୁଲାଇ ମାସରେ ପରୀକ୍ଷା ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ସଂକ୍ରମଣ କମାଇବାକୁ ଯୋଗୀ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲା WHO । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ରାଜ୍ୟରେ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଥିଲା । ଯୋଗୀ ସରକାରଙ୍କ ଟ୍ରେସ୍, ଟ୍ରାକ ଓ ଟେଷ୍ଟିଂ ପ୍ରକ୍ରିୟାକୁ ପ୍ରଶଂସା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO ) । ଭାରତର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ଗାଁ ଗାଁ ଯାଇଁ ଟେଷ୍ଟିଂ କ ରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା । ସଂକ୍ରମିତ ଲୋକଙ୍କୁ ଶୀଘ୍ର ଆଇସୋଲେସନରେ ରଖିବା, ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଏବଂ ସେମାନଙ୍କ ସଂସ୍ପର୍ଶରେ ଲୋକଙ୍କୁ ତୁରନ୍ତ ଖୋଜିବାର ଉପାୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲା WHO ।

You might also like