ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ପିଆଜ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅଦିନିଆ ବର୍ଷା ଯୋଗୁ ପିଆଜ ଦରରେ ଏବେ ବୃଦ୍ଧି ଘଟିଛି। ମହାରାଷ୍ଟ୍ର ନାସିକରେ ପିଆଜ ଦର କ୍ୱିଣ୍ଟାଲ ପିଛା୨୫ ଶହରୁ ୨୮ ଶହରେ ବିକ୍ରି ହେଉଥିବା ବେଳେ ଆଜି ଅଚାନକ ଏହି ଦର ୪୫ ଶହ ଟଙ୍କାରେ ପହଞ୍ଚିଛି।

ପୂର୍ବରୁ ନାସିକ ନାସଲ ଗାରେ ଥିବା ପିଆଜ ଗୋଦାମରେ ୩୦ ହଜାର କ୍ୱିଣ୍ଟାଲ୍ ପିଆଜ ଆସୁଥିବା ବେଳେ ଆଜି କେବଳ ୧୮ ହଜାର କ୍ୱିଣ୍ଟାଲ୍ ପହଞ୍ଚିଛି। ବର୍ଷା ଯୋଗୁ ପିଆଜ ନଷ୍ଟ ହୋଇଛି। ଏହାସହ ଆମଦାନୀ ବି କମିଛି। ଫଳରେ କାଟ୍ ଛାଟ୍ କରି ପିଆଜ ବିକ୍ରି କରିବାକୁ ପଡ଼ୁଥିବା ଚାଷୀ କହିଛନ୍ତି। ଏହାସହ ବହୁ ସଂଖ୍ୟା ପିଆଜ ବସ୍ତା ପୂର୍ବରୁ ଜମା ଥିବାରୁ ଏହାକୁ ତୁରନ୍ତ ଅନ୍ୟ ରାଜ୍ୟକୁ ରପ୍ତାନୀ କରାଯାଉଛି।

ଭୁବନେଶ୍ୱରରେ ଆଜି ପିଆଜ କିଲୋ ପିଛା ୫୨ରୁ ୫୪ ଟଙ୍କା ରହିଛି। ସେହିପରି କଟକ ଛତ୍ର ବଜାରରେ ପିଆଜ କିଲୋ ପିଛା ଦର ରହିଛି ୫୨ରୁ ୫୩ ଟଙ୍କା। ବ୍ରହ୍ମପୁରରେ ୪୫ ଟଙ୍କା, ଖୋର୍ଦ୍ଧାରେ ୫୦ ଟଙ୍କା ଏବଂ ବାଲେଶ୍ୱରରେ ୫୦ରୁ ୫୨ ଟଙ୍କାରେ ପିଆଜ କିଲୋ ବିକ୍ରି ହେଉଛି।

ସୂଚନାଥାଉ କି, କିଛିଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ଏବଂ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୫୦ ପଇସାରୁ ଅଧିକ ରହିଛି।

You might also like