ଗୋଟିଏ ଫୋନ କଲ୍‌ ଯୋଗୁ ଭାରତ-ପାକ୍ ମଧ୍ୟରେ‌ ଖୋଲିଲା ଯୁଦ୍ଧ ବିରତିର ରାସ୍ତା

ନୂଆଦିଲ୍ଲୀ:  ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଉଲ୍ଲଘଂନକୁ ନେଇ ଦୁଇ ଦିନ ତଳେ ବୁଝାମଣା ହୋଇଛି। ଏହି ବୁଝାମଣା ଅନୁସାରେ ଲାଇନ ଅଫ କଣ୍ଟ୍ରୋଲ ଏବଂ ଅନ୍ୟ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଘଂନକୁ କେହି ଭାଙ୍ଗିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।  ଦୀର୍ଘ ବର୍ଷ ଧରି ସୀମାରେ ଅସ୍ତ୍ର ବିରତି ଉଲ୍ଲଘଂନ ଚାଲିଥିବାବେଳେ ମାତ୍ର ଗୋଟିଏ ଫୋନ କଲ୍ ଦ୍ୱାରା ଏହା ବନ୍ଦ ହୋଇପାରିଛି। ତେବେ କିଏ କରିଥିଲେ ଏହି ଫୋନ ? କାହାପାଖକୁ କରିଥିଲେ ?

ମିଡିଆ ରିପୋର୍ଟ ଅନୁସାରେ, ବୁଧବାର ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ ମିଲିଟ୍ରି ଅପରେଶନ (DGMO) ମଧ୍ୟରେ ଫୋନ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ପରେ ଏପରି ନିଷ୍ପତ୍ତି ନିଆଯାଇଥିଲା।  ସୀମାରେ ଦୁଇ ଦେଶ ମଧ୍ୟରେ ଗୁଳି ବିନିମୟ ଘଟଣା ବଢୁଥିବାବେଳେ ଅଧିକାରୀ ସ୍ତରରେ ଅସ୍ତ୍ର ବିରତି ନେଇ ଆଲୋଚନା ହୋଇଥିଲା ଏବଂ ଗୋଟିଏ ଫୋନ କଲ ଅସ୍ତ୍ର ବିରତି ଉଲ୍ଲଘଂନ ଉପରେ ରୋକ୍‌ ଲଗାଇଲା।  ଏପରି ଘଟଣା ସୀମାରେ ରହୁଥିବା ଲୋକଙ୍କ ପାଇଁ ଆଶାର ନୂଆ କିରଣ ଯୋଗାଇଛି।

ସୀମାରେ ଅସ୍ତ୍ର ବିରତି ପାଇଁ ୨୦୦୩ରେ ଭାରତ ପ୍ରସ୍ତାବ ଦେଇଥିଲା ଏବଂ ଏହାକୁ ସ୍ୱୀକାର କରିଥିଲା।  ୨୦୧୬ ପର୍ଯ୍ୟନ୍ତ ଏହା କାଏମ ଥିଲା। ଏହାପରେ ଉରୀରେ ଆତଙ୍କୀ ଆକ୍ରମଣ ହୋଇଥିଲା। ୨୦୧୬ରୁ ୨୦୧୮ ମଧ୍ୟରେ ଅସ୍ତ୍ର ବିରତି ଉଲ୍ଲଘଂନ ହୋଇଥିଲା। ୨୦୧୮ରୁ ପାକିସ୍ତାନ ପକ୍ଷରୁ ନିୟମିତ ଭାବେ ଅସ୍ତ୍ରବିରତି ପ୍ରସ୍ତାବକୁ ଉଲ୍ଲଘଂନ କରି ଆସୁଥିଲା ।

ମିଡିଆ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି, ଦୁଇ ଦେଶର ସେନାଙ୍କ ମଧ୍ୟରେ ହଟ ଲାଇନ ସବୁବେଳେ ଖୋଲା ଥାଏ। ମେଜର ରାଙ୍କର ଜଣେ ଅଧିକାରୀ ନିୟମିତ ସମସ୍ୟାକୁ ନେଇ ଚର୍ଚ୍ଚା କରିବା ପାଇଁ ପାକିସ୍ତାନ ସହ କଥାବାର୍ତ୍ତା କରିଥାନ୍ତି। ଏହାବ୍ୟତୀତ ବ୍ରିଗେଡିୟର ସ୍ତରରେ ମଧ୍ୟ ଜଣେ ଅଧିକାରୀ ସପ୍ତାହରେ ଥରେ କଥାବାର୍ତ୍ତା କରିଥାନ୍ତି। ସେହିପରି ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ ମିଲିଟ୍ରି ଅପରେଶନ ବେଳେବେଳେ ପରସ୍ପର ସହ କଥାବାର୍ତ୍ତା ହୋଇଥାନ୍ତି। ତେବେ ଅସ୍ତ୍ରବିରତି ବୁଝାମଣା DGMO ମଧ୍ୟରେ ହୋଇଥାଏ।

ଇସ୍‌ଲାମାବାଦ୍‌ ଏବଂ ନୂଆ ଦିଲ୍ଲୀ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି, ଦୁଇ ଦେଶର ଡାଇରେକ୍ଟର ଜେନରାଲ ଅଫ ମିଲିଟ୍ରି ଅପରେଶନ ହଟଲାଇନରେ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାବେଳେ ନିୟନ୍ତ୍ରଣ ରେଖା ଏବଂ ଅନ୍ୟ ସମସ୍ତ କ୍ଷେତ୍ରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଉପରେ ସମୀକ୍ଷା କରିଥିଲେ। ଆଲୋଚନା ବେଳେ ଦୁଇ ଅଧିକାରୀ ହଠାତ୍‌ କରିଥିଲେ, ଦୁଇ ପକ୍ଷ ୨୪-୨୫ ଫେବ୍ରୁଆରୀରୁ  ନିୟନ୍ତ୍ରଣ ରେଖା ଏବଂ ଅନ୍ୟ କ୍ଷେତ୍ରରେ ଯୁଦ୍ଧ ବିରତି ବୁଝାମଣା ଏବଂ ପରସ୍ପର ମଧ୍ୟରେ ସହମତିକୁ ପାଳନ କରିବେ। ଏପରି ପ୍ରସ୍ତାବକୁ ଦୁଇ ପକ୍ଷ ସ୍ୱୀକାର କରିଥିଲେ।

ପ୍ରସ୍ତାବରେ କୁହାଯାଇଛି, ଭାରତ ଓ ପାକିସ୍ତାନ ପରସ୍ପର ସହ କରିଥି ଯୁଦ୍ଧ ବିରତି  ଡିଲ୍‌କୁ କଡ଼ାକଡ଼ି ଭାବେ ପାଳନ କରିବେ। ସୀମାରେ କୌଣସି ପ୍ରକାରର ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟ କରାଯିବ ନାହିଁ। ଯେ କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ କିମ୍ବା ଭୁଲ ବୁଝାମଣା ହେଲେ ତୁରନ୍ତ ଏହାର ସାମାଧନ ପାଇଁ ହଟଲାଇନ୍‌ରେ ଯୋଗାଯୋଗ କରାଯିବ। ସେହିପରି ‘ଫ୍ଲାଗ୍ ମିଟିଂ’ର ବ୍ୟବସ୍ଥା ବି ହେବ।

କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କିଶନ ରେଡ୍ଡି ଏହି ମାସ ଆରମ୍ଭରେ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ, ଗତ ତିନି ବର୍ଷ ମଧ୍ୟରେ ପାକିସ୍ତାନ ସହ ଭାରତ ସୀମାରେ ୧୦, ୭୫୨ ଥର ଯୁଦ୍ଧ ବିରତି ଉଲ୍ଲଘଂନ ହୋଇଛି। ଏଥିରେ ୭୨ ଜଣ ସୁରକ୍ଷା କର୍ମୀ ଏବଂ ୭୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ସେ କହିଥିଲେ, ୨୦୧୮, ୨୦୧୯ ଏବଂ ୨୦୨୦ରେ ଜମ୍ମୁ-କାଶ୍ମୀରର ଅନ୍ତରାଷ୍ଟ୍ରୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ ହୋଇଥିବା ଗୁଳିମାଡ ଘଟଣାରେ ୩୬୪ ସୁରକ୍ଷାକର୍ମୀ ଏବଂ ୩୪୧ ଜଣ ନାଗରିକ ଗୁରୁତର ହୋଇଥିଲେ।

You might also like