ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ସ୍ଲୋଗାନ ଦୋହରାଇଛନ୍ତି। ୭୧ ତମ ସମ୍ବିଧାନ ଦିବସରେ ସେ କହିଛନ୍ତି, ଏହା ହେଉଛି ବର୍ତ୍ତମାନର ଆବଶ୍ୟକତା। ବ୍ୟବସ୍ଥାକୁ ଯୁଗଉପଯୋଗୀ କରିବାକୁ ପଡ଼ିବ। ଦେଶରେ ବାରମ୍ବାର ନିର୍ବାଚନ ହେଉଥିବାରୁ ଏହାର ପ୍ରଭାବ ବିକାଶ ଉପରେ ପଡୁଛି ବୋଲି ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ସେହି ସମୟରେ କୌଣସି ପ୍ରକାର ନୂଆ କାମ ହୋଇ ପାରୁନି। ସମୟ ବରବାଦ ହେବା ସହିତ ବାରମ୍ବାର ନିର୍ବାଚନ ଯୋଗୁ ରାଜକୋଷ ଉପରେ ମଧ୍ୟ ଚାପ ପଡୁଛି। ତେଣୁ ଓ୍ୱାନ୍ ନେସନ ଓ୍ୱାନ ଇଲେକ୍ସନ୍‌ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହା ଉପରେ ବିଚାର ବିମର୍ଶ କରିବାକୁ ମୋଦି ପ୍ରସ୍ତାବ ଦେଇଛନ୍ତି। ଏହା ଆଗରୁ ମଧ୍ୟ ଏକା ସମୟରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମୋଦି ଆହ୍ୱାନ ଦେଇଥିଲେ। ଏହି ପ୍ରସ୍ତାବ ଅବାସ୍ତବ କହି ସେତେବେଳେ ବହୁ ଲୋକ ବିରୋଧ କରିଥିଲେ। ଏପରିକି ଆଇନଗତ ପ୍ରତିବନ୍ଧକ ଥିବା କହିଥିଲେ।  କାରଣ କୌଣସି ରାଜ୍ୟର ସରକାର ଭାଙ୍ଗିଲେ କି କେନ୍ଦ୍ରର ସରକାର ଭାଙ୍ଗିଲେ କିମ୍ବା କୌଣସି ଆସନ ଖାଲି ପଡ଼ିଲେ ୬ ମାସ ଭିତରେ ନିର୍ବାଚନର ହେବାର ନିୟମ ଅଛି। ତେଣୁ ଏକା ସାଙ୍ଗରେ ସବୁ ବିଧାନସଭା ଓ ଲୋକସଭାର ନିର୍ବାଚନ ହୁଏତ ସମ୍ଭବ ନୁହେଁ ବୋଲି କୁହାଯାଉଛି।

 

You might also like