ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମଦୁରାଇ: ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି।

ତାମିଲନାଡୁରେ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟଣାରେ ଏହା ହେଉଛି ପ୍ରଥମ।

ମୃତକ ଜଣଙ୍କ ତାମିଲନାଡୁର ମଦୁରାଇର ବାସିନ୍ଦା। କରୋନାରେ ଆକ୍ରାନ୍ତ ହେବା ପରେ ମଦୁରାଇରେ ଥିବା ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଚର ସି ବିଜୟବସ୍କର ସୂଚନା ଦେଇଛନ୍ତି।

ମୃତକ ଜଣଙ୍କ ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ। ସେ ବିଦେଶ ଗସ୍ତ କରି ନଥିଲେ। ତେଣୁ ସେ କାହା ସଂସ୍ପର୍ଶରେ ଆସିବା ପରେ କରୋନାରେ ଆକ୍ରାନ୍ତ ହେଲେ ସେ ନେଇ ଅନୁଧ୍ୟାନ କରାଯାଉଛି ବୋଲି ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ  ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ  ସାମାଜିକ ଦୂରତ୍ୱ ଗୋଟିଏ ମାତ୍ର ରାସ୍ତା। ଏଥିପାଇଁ ଲକ୍‌ ଡାଉନ୍‌ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

You might also like