ବିଜାପୁରରେ ପୁଣି ମାଓ ଆକ୍ରମଣ : ଜଣେ ଯବାନ ଗୁରୁତର

ବିଜାପୁର : ଛତିଶଗଡ଼ରେ ପୁଣି ମାଓ ହମଲା । ବିଜାପୁରରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ମୃତାହତ ଯବାନଙ୍କୁ ଉଦ୍ଧାର ଲାଗି ଯାଇଥିବା ଟିମକୁ ଟାର୍ଗେଟ କଲେ ମାଓବାଦୀ । ଯବାନଙ୍କ ପାଇଁ ମୃତ୍ୟୁର ଜାଲ ବିଛାଇ ଟେକେଲଗୁଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ତେବେ ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି ।


ଗତକାଲି ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଅତର୍କିତ ଆକ୍ରମଣ ଯୋଗୁଁ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ଆଜି ସୂଚନା ଦେଇଛନ୍ତି ବିଜାପୁର ଏସପି । ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ ଏବେ ବି ଆଉ ଜଣେ ଯବାନ ନିଖୋଜ ଅଛନ୍ତି ଏବଂ ୩୦ ଜଣ ଆହତ ଯବାନ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହା ଚଳିତ ବର୍ଷର ସବୁଠାରୁ ବଡ଼ ମାଓବାଦୀ ଆକ୍ରମଣ ।

ଶନିବାର ଦିନ ଏହି ଆକ୍ରମଣରେ ମାଓବାଦୀମାନେ ରକେଟ ଲଞ୍ଚର ଓ ଏଲଏମଜିର ବ୍ୟବହାର କରିଥିଲେ ।  ସୁରକ୍ଷାକର୍ମୀମାନେ ମାଓବାଦୀ ବିରୋଧରେ ସବୁଠାରୁ ମଜଭୁତ ଗଡ଼ ବିଜାପୁରରେ ଅପରେସନ ଚଳାଇଥିବା ବେଳେ ଏହି ଅତର୍କିତ ଆକ୍ରମଣ ହୋଇଥିଲା । ନକ୍ସଲମାନେ ଯବାନଙ୍କୁ ଗତକାଲି ତିନି ପ୍ରକାରରେ ଆକ୍ରମଣ କରିଥିଲେ । ପ୍ରଥମେ ଗୁଳି ଚଳାଇବା ସହ ଦ୍ୱିତୀୟରେ ମୁନିଆ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିଥିଲେ । ଆଉ ତା’ ପରେ ଦେଶୀ ରକେଟ ଲଞ୍ଚରରେ ପାଖାପାଖି ୨୦୦ରୁ ୩୦୦ ମାଓବାଦୀ ଦଳ ସରୁକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା ।

You might also like