ପାକିସ୍ତାନ ଅପପ୍ରଚାରର ପର୍ଦ୍ଦାଫାସ ହେବ, କଶ୍ମୀର ସ୍ଥିତି ପରଖିବ ୟୁରୋପିଆନ ପ୍ୟାନେଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ବାରମ୍ବାର ପାକିସ୍ତାନ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରୁଛି। ତେବେ ଆସନ୍ତାକାଲି ୟୁରୋପିଆନ ପାର୍ଲାମେଣ୍ଟାରୀ ପ୍ୟାନେଲର ୨୮ ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ କରିବେ।

ସେଠାରେ ଏହି ପ୍ରତିନିଧି ଦଳ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପରିସ୍ଥିତି କେମିତି ରହିଛି, ସେକଥା ତର୍ଜମା କରିବ। ସେହିଭଳି କଶ୍ମୀରବାସୀଙ୍କ ସହ ସେମାନେ ଆଲୋଚନା କରିବାରର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧି ଦଳକୁ କଶ୍ମୀର ପ୍ରସଙ୍ଗରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇବେ।

ଆଜି ଏହି ପ୍ରତିନିଧି ଦଳ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମେ ସେମାନେ ପ୍ରଧାନମନ୍ତ୍ରୀ ମୋଦି ଓ ଏନଏସଏ ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳ ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

କିଛିଦିନ ତଳେ ଆମେରିକାରର ଆସିସଷ୍ଟାଣ୍ଟ ସଚିବ ଆଲିସେ ୱେଲ୍ସ କହିଥିଲେ ଯେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କିଛି ସ୍ଥାନୀୟ ଲୋକ ଓ ରାଜନେତାଙ୍କୁ ଭାରତ ସରକାର ଗୃହବନ୍ଦୀ କରି ରଖିଛନ୍ତି। ଏଥିପାଇଁ ଆମେ ଭାରତ ସରକାରଙ୍କୁ ଲୋକଙ୍କ ମାନବାଧିକାର କଥା ଚିନ୍ତା କରିବାକୁ ପରାମର୍ଶ ଦେଉଛୁ। ଲୋକଙ୍କୁ ଇଣ୍ଟରନେଟ୍‌ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମଧ୍ୟ କହୁଛୁ।”

ଏହାପରେ ଭାରତ ସରକାର ଜମ୍ମୁ-କଶ୍ମୀରରେ ଧୀରେଧୀରେ ସ୍ୱାଭାବିକ ହେଉଥିବା ଅନ୍ତର୍ଜାତୀୟ ସମୁହକୁ ଜଣାଇଥିଲେ। ଏବେ ୨୮ ଜଣିଆ ପ୍ରତିନିଧି ଦଳ କଶ୍ମୀର ସ୍ଥିତି ପରଖିବାକୁ ଆସିଛନ୍ତି।

ଏହି ଖବର ମିଳିବା ପରେ ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି କହିଛନ୍ତି, “ଆମର ଆଶା ଏହି ପ୍ରତିନିଧି ଦଳ ସ୍ଥାନୀୟ ଲୋକ, ସାମାଜିକ କର୍ମୀ, ଡାକ୍ତର, ସ୍ଥାନୀୟ ମିଡିଆ ଓ ସିଭିଲ ସୋସାଇଟିର ସଦସ୍ୟମାନଙ୍କ ସହ କଥା ହେବାର ସୁଯୋଗ ପାଇବେ। କଶ୍ମୀର ଓ ବିଶ୍ୱର ଅନ୍ୟ ପ୍ରାନ୍ତ ମଧ୍ୟରେ ସୃଷ୍ଟି ହୋଇଥିବା ଲୁହରା ପିଞ୍ଜରା ତୁରନ୍ତ ଶେଷ ହେବା ଦରକାର।”

You might also like