ଜୁଲାଇ ୪ ସୁଦ୍ଧା ଦେଶର ସବୁ ଲୋକଙ୍କୁ ଟିକାକରଣର ଲକ୍ଷ୍ୟ ରଖିଛି ଆମେରିକା

ୱାଶିଂଟନ୍: ଭାରତରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅଧିକରୁ ଅଧିକ ଟିକା ଉତ୍ପାଦନ କରିବାକୁ ଚେଷ୍ଟା କରୁଛି। ହେଲେ ସେଥିପାଇଁ କଞ୍ଚାମାଲ ଲୋଡ଼ା। କିନ୍ତୁ ଆମେରିକା କଞ୍ଚାମାଲ ରପ୍ତାନୀ ଉପରେ କଟକଣା ଲାଗିବାରୁ ଭାରତରେ ଟିକା ଉତ୍ପାଦନ ପ୍ରଭାବିତ ହେଉଛି।

ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି କଞ୍ଚାମାଲ ରପ୍ତାନୀ ଉପରେ ଥିବା ପ୍ରତିବନ୍ଧକ ହଟେଇବା ପାଇଁ ଅନୁରୋଧ କରିଥିଲେ। ହେଲେ ଆମେରିକା ଏହାକୁ ଗୁରୁତ୍ୱ ଦେଇ ନାହିଁ। ଏହି ଅନୁରୋଧ ପରେ ଆମେରିକାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ‘ବାଇଡେନ ସରକାରଙ୍କ ପ୍ରଥମ ଦାୟିତ୍ୱ ହେଉଛି ଆମେରିକା ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେବା। ଭାରତର ଆବଶ୍ୟକତାକୁ ଆମେ ବୁଝିପାରୁଛୁ କିନ୍ତୁ ଆମେରିକା ପ୍ରଥମେ ନିଜ ଦେଶର ଲୋକଙ୍କୁ ପ୍ରାଥମିକତା ଦେବ। ପ୍ରଥମେ ଆମେରିକୀୟଙ୍କୁ ଭ୍ୟାକ୍ସିନ ଦିଆଯିବା ଆବଶ୍ୟକ। କାରଣ ଅନ୍ୟ ଦେଶ ତୁଳନାରେ ଆମେରିକାବାସୀ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକା ଜନସାଧାରଣଙ୍କ ଟୀକାକରଣ କେବଳ ଆମେରିକା ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ଲାଭଦାୟକ।’

ଆମେରିକାର ଏଭଳି ପ୍ରତିକ୍ରିୟା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ରାସାୟନ ମନ୍ତ୍ରୀ ମନସୁଖ ମାଣ୍ଡବିୟାଙ୍କ ସହ ଆଦର ପୁନାୱାଲା ଏବଂ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଅନ୍ୟ ଫାର୍ମା କମ୍ପାନୀମାନେ ବିଶେଷ ଆଲୋଚନା କରିଛନ୍ତି। ଟିକା ପ୍ରସ୍ତୁତ ପାଇଁ କଞ୍ଚାମାଲ ନିହାତି ଆବଶ୍ୟକ ବୋଲି କୁହାଯାଇଛି।

ଜୟଶଙ୍କର କହିଲେ ଭାରତ ବିଶ୍ୱକୁ ସାହାଯ୍ୟ କରୁଛି

ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ତଥା ରସାୟନ ମନ୍ତ୍ରଣାଳୟ ଏବଂ ଆମେରିକା, ଜର୍ମାନୀ ଓ ୟୁରୋପରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ବାବଦରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଫାର୍ମା କମ୍ପାନୀ ସମ୍ମୁଖରେ ଯେଉଁ ସମସ୍ୟା ଛିଡ଼ା ହୋଇଛି, ତା’ର ସମାଧାନ ପାଇଁ ଗତ କିଛି ସପ୍ତାହ ହେଲା ପ୍ରୟାସ ଚାଲିଛି। ତେବେ ବର୍ତ୍ତମାନ ଯେଉଁ ନୂ‍ଆ ତଥ୍ୟ ସାମ୍ନାକୁ ଆସିଛି, ସେଥିରୁ ଅନେକ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଏଭଳି ଗମ୍ଭୀର ପରିସ୍ଥିତିରେ ମଧ୍ୟ ଏହି ସପ୍ଲାଏ ଚେନ୍ ଯେଭଳି ସହଜ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଶେଷରେ ଜୟଶଙ୍କର କହିଛନ୍ତି ଭାରତକୁ ସାରା ବିଶ୍ୱ ସମର୍ଥନ କରିବା ଉଚିତ, କାରଣ ଭାରତ ସାରା ବିଶ୍ୱକୁ ସାହାଯ୍ୟ କରୁଛି।

ଆମେରିକାର କେଉଁ ଆଇନ ରପ୍ତାନିରେ ବାଧା ସୃଷ୍ଟି କରୁଛି?

ବାସ୍ତବରେ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ବ୍ୟବହୃତ ‘ପ୍ରତିରକ୍ଷା ଉତ୍ପାଦନ ଆଇନ’କୁ ଲାଗୁ କରିଛନ୍ତି। ଯାହାଫଳରେ ଆମେରିକାର କଞ୍ଚାମାଲ ଯୋଗାଣକାରୀ କମ୍ପାନୀଗୁଡିକ ପ୍ରଥମେ ନିଜ ଦେଶର ଉତ୍ପାଦନକୁ ଗୁରୁତ୍ୱ ଦେବେ। ଏହାବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ଆମେରିକାରେ ଥିବା ଫାର୍ମା କମ୍ପାନୀ, ଯେଉଁମାନେ ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ହିଁ ଏହି କଞ୍ଚାମାଲ ଯୋଗାଣକରୀମାନେ ପ୍ରାଥମିକତା ଦେଉଛନ୍ତି। ଏଭଳି କରିବା ଦ୍ୱାରା ଆମେରିକା ଏହି ମାରାତ୍ମକ ମହାମାରୀ ସହ ମୁକାବିଲା କରିବାରେ ସଫଳ ହେବ ବୋଲି ତାଙ୍କର ଆଶା ରହିଛି।

ଆମେରିକା କୋଭିଡ-୧୯ ଟିକା ଉତ୍ପାଦନ ସଂଖ୍ୟା ବୃଦ୍ଧି କରିଛି। କାରଣ ଜୁଲାଇ ୪ ସୁଦ୍ଧା ଦେଶରେ ସବୁ ଲୋକଙ୍କୁ ଟିକାକରଣ କରିବାର ସେ ଲକ୍ଷ୍ୟ ରଖିଛି। ଏହି କାରଣରୁ ଦେଶରେ ଥିବା ଟିକା ଉତ୍ପାଦନ କମ୍ପାନୀଗୁଡ଼ିକୁ ପ୍ରଥମେ କଞ୍ଚାମାଲ ଯୋଗାଇ ଦିଆଯିବ ବୋଲି ସ୍ଥିର ହୋଇଛି।

You might also like