ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣା

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଆଜି ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଘୋଷଣା କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସଂସ୍କାର, ବିମାନ ସେବା, ମହାକାଶ ଓ ଆଣବିକ ବିଜ୍ଞାନ କ୍ଷେତ୍ରରେ ସଂସ୍କାର ଆଣିବା ନେଇ ଅର୍ଥ ଘୋଷଣା ହୋଇଛି।

ବିଭିନ୍ନ ସେକ୍ଟର ଏବେ ବିଭିନ୍ନ ଚାଲେଂଜର ସାମ୍ନା କରୁଛି। ଉକ୍ତ ସେକ୍ଟରଗୁଡ଼ିକୁ ସମୃଦ୍ଧ କରିବା ଜରୁରୀ ହୋଇପଡ଼ିଛି। ଏଥିସହିତ ଅନେକ ସେକ୍ଟର ପିଲିସି ସରଳୀକରଣ ଆବଶ୍ୟକ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେହିଭଳି ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ସଂସ୍କାର ଆଣିବା ଉଚିତ୍ ବୋଲି କହିଥିଲେ ନିର୍ଣଳା। ଡିବିଟି, ଜିଏସ୍‌ଟି, ବ୍ୟାଙ୍କ ସଂସ୍କାର ଆଦି ବଡ଼ ବଡ଼ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏଥିସହିତ ବିମାନ ସେବା, ମହାକାଶ ଓ ଆଣବିକ ବିଜ୍ଞାନ କ୍ଷେତ୍ରରେ ସଂସ୍କାର ହେବା ନେଇ ଘୋଷଣା ମଧ୍ୟ କରିଛନ୍ତି।

ସେହିଭଳି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସରଳିକରଣ କରାଯିବାକୁ ଘୋଷଣା ହୋଇଛି। ଏଥର ଖୋଲା ନିଲାମ ହେବେ। ଏହାଦ୍ୱାରା ଅଧିକ ଲୋକ ଏକ୍ଷେତ୍ରକୁ ଆସିପାରିବେ। ଆଗକୁ ୫୦ଟି କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ଅଣାଯିବାର ବ୍ୟବସ୍ଥା ହେବ। କୋଇଲାକୁ ଗ୍ୟାସ୍‌ରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବ। ସମୟ ପୂର୍ବରୁ ଉତ୍ତୋଳନ କାର୍ଯ୍ୟ ସରିଲେ ପ୍ରୋତ୍ସାହନ ରାଶି ମିଳିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏଥିସହିତ କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଖର୍ଚ୍ଚ ହେବ। ଶିଳ୍ପକାରଖାନାକୁ କଞ୍ଚାମାଲ୍‌ ଯୋଗାଣ ନେଇ ଯୁଗ୍ମ ନିଲାମୀ ବ୍ୟବସ୍ଥା ହେବ। ମୂଳ ଖଣି ସହ ବିଜୁଳି ଉତ୍ପାଦନ ପାଇଁ ଅବଶ୍ୟକୀୟ ଖଣିଜ ବି ମିଳିପାରିବ। କ୍ୟାପ୍ଟିଭ୍‌ ଓ ନନ୍‌ କ୍ୟାପ୍ଟିଭ୍‌ ଖଣି ଭିତରେ ପ୍ରାର୍ଥକ୍ୟ ରହିବନି ବୋଲି ଆଜି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ୍‌ କରିବା ଓ ଭିତ୍ତିଭୂମି ସୁଧାରିବା ଦିଗରେ ମଧ୍ୟ ଧ୍ୟାନ ଦେଇଛନ୍ତି ସରକାର। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ବିଶେଷ ଦୃଷ୍ଟି ଦିଆଯିବ। ପ୍ରତିରକ୍ଷା ସାମଗ୍ରୀରେ ମେକ୍‌-ଇନ୍‌-ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ। ପ୍ରତିରକ୍ଷା ସାମଗ୍ରୀ ଆମଦାନୀର ଖର୍ଚ୍ଚକୁ କମ୍‌ କରିବାକୁ ବିଶେଷ ବ୍ୟବସ୍ଥା ହେବ। କିଛି ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ କଡ଼ା କଟକଣା ଲାଗିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
ସେହିଭଳି ଗୋଳାବାରୁଦ କାରଖାନା ନିଗମୀକରଣ ହେବ, ଘରୋଇକରଣ ହେବନି। ଫଳରେ ଉତ୍ପାଦନର କାର୍ଯ୍ୟ ଭଲ ହେବ। ରୋଜଗାର ବଢ଼ିବ। ସେନାକୁ ଭଲ ଅସ୍ତ୍ରଶସ୍ତ୍ର ମିଳିବ। ଆମଦାନୀ ଖର୍ଚ୍ଚ ମଧ୍ୟ କମ୍‌ ହେବ। ପାରଦର୍ଶିତା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଯାଉଛି। ପ୍ରତିରକ୍ଷା ସାମଗ୍ରୀର ଏଫ୍‌ଡିଆଇକୁ ୪୯% କୁ ୭୪%କୁ ବୃଦ୍ଧି କରାଯାଇଛି।

ଏୟାର୍‌ ସ୍ପେସ୍‌କୁ ରେସନାଲାଇଜେସନ୍‌ କରିବାକୁ ଘୋଷଣା ହୋଇଛି। ସମୟ ବଞ୍ଚାଇ କମ୍‌ ସମୟରେ ପହଞ୍ଚିବା ସହିତ ଇନ୍ଧନ ଖର୍ଚ୍ଚ କମାଇବାକୁ ଲକ୍ଷ୍ୟ। ୧୨ଟି ଏୟାର୍‌ପୋର୍ଟକୁ ପିପିଇ ମୋଡ୍‌ରେ ଉନ୍ନତୀକରଣ କରାଯିବ। ଭିତ୍ତିଭୂମି ନିର୍ମାଣ ଓ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଉନ୍ନତୀକରଣ କରାଯିବ।

ବିଦ୍ୟୁତ୍‌ ସେବା କ୍ଷେତ୍ରରେ ସଂସ୍କାର ଆଣି କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ ବିତରଣର ଘରୋଇକରଣ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ଅର୍ଥମନ୍ତ୍ରୀ। ଇସ୍ରୋ ଆଜି ଭାରତ ଦେଶବିଦେଶରେ ପ୍ରଂଶସିତ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଏଣୁ ଏହି କାର୍ଯ୍ୟକୁ ଆହୁରି ବଳ ଦେବାକୁ ମହାକାଶ ଗବେଷଣା କ୍ଷେତ୍ରରେ ଆହୁରି ଅନେକ କାର୍ଯ୍ୟ କରାଯିବ। ଘରୋଇ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଏହି କମ୍ପାନୀଗୁଡ଼ିକ ମଧ୍ୟ ମାହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ଯିବ। ଏଥିପାଇଁ ନୂଆ ପଲିସି ଅଣାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ସେହିଭଳି  କ୍ୟାନସର୍ ରିସର୍ଚ୍ଚକ ଆଗକୁ ନେବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପିପିପି ମୋଡ୍‌ରେ ଏକ ରିସର୍ଚ ରିୟାକ୍ଟର ପ୍ରତିଷ୍ଟା କରିବାକୁ ଘୋଷଣା କରାଯାଇଛି। କ୍ୟାନସର୍‌ ରୋଗର ନିରାକରଣ ପାଇଁ ଏହି ରିସର୍ଚ୍ଚ ରିୟାକ୍ଟର ହେବ। ଏଥିରେ ମେଡିକାଲ୍ ଆଇସୋଟୋପ୍‌ ଉତ୍ପାଦନ କରାଯିବ।

ପଚନଶୀଳ ସଂରକ୍ଷଣ ପାଇଁ ବିକିରଣ ଟେକ୍ନୋଲୋଜୀ ବ୍ୟବହାର ହେବ।

 

You might also like