ରାଇପୁର: ମହଙ୍ଗା ପଡ଼ିଲା ପୋଲିସ୍‌ ବାବୁଙ୍କୁ ଲାଞ୍ଚ ନେବା। ଲାଞ୍ଚ ନେବାବେଳେ କ୍ୟାମେରାରେ ଧରା ପଡ଼ିଛନ୍ତି ୨ ପୋଲିସ୍‌ କର୍ମୀ। ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଏହି ୨ ପୋଲିସ୍‌ କର୍ମୀ ଜଣେ ଟ୍ରାନ୍ସପୋର୍ଟରଙ୍କୁ ଲାଞ୍ଚ ମାଗିବା ଓ ତାଙ୍କ ଠାରୁ ଲାଞ୍ଚ ନେବା ଘଟଣାରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏକ ଦୁର୍ଘଟଣା ମାମଲାରେ ସମ୍ପୃକ୍ତ ଟ୍ରାନ୍ସପୋର୍ଟରଙ୍କ ଗାଡ଼ି ସମ୍ପୃକ୍ତ ଥିଲା। ତେଣୁ ମାମଲାର ରଫାଦଫା କରିବା ପାଇଁ ପୋଲିସ୍‌ କର୍ମୀ ତାଙ୍କୁ ଲାଞ୍ଚ ମାଗିଥିବା ସୂଚନା ମିଳିଛି। ଏହାସହ ୨ ପୋଲିସ୍‌ କର୍ମୀ ଲାଞ୍ଚ ନେଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି।

ତୁମଗାଓଁ ଥାନାର ଷ୍ଟେସନ ହାଉସ୍‌ ଅଫିସର(ଏସ୍‌ଏଚ୍‌ଓ) ଶରଦ ତାମ୍ରକାର ଓ ଏଏସ୍‌ଆଇ ଭିଜେନ୍ଦ୍ର ଚାନ୍ଦନିହାଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଛି। ଭାଇରାଲ୍‌ ଭିଡିଓଟି ଜୁନ୍‌ ୧୫ର ଓ ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା ବୋଲି ଏସ୍‌ପି ପ୍ରଫୁଲ୍ଲ କୁମାର ଠାକୁର କହିଛନ୍ତି।

ଟ୍ରାନ୍ସପୋର୍ଟରଙ୍କ ଠାରୁ ଶରଦ ଓ ଭିଜେନ୍ଦ୍ର ଟଙ୍କା ମାଗିବା ସହ ଟଙ୍କା ଗଣୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା ବୋଲି ଏସ୍‌ପି କହିଛନ୍ତି। ପୋଲିସ ବିଭାଗର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ଏସ୍‌ପି କହିଛନ୍ତି।

Other Stories