‘ଆଜାଦୀ’ ସ୍ଲୋଗାନ୍‌କୁ ନେଇ ବିକ୍ଷୋଭକାରୀଙ୍କୁ ଯୋଗୀଙ୍କ ଚେତାବନୀ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକ୍ଷୋଭକାରୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।

ବିଭିନ୍ନ ସ୍ଥାନରେ ସିଏଏ ବିରୋଧ ପ୍ରଦର୍ଶନ କରୁଥିବା ରାଜ୍ୟର ପ୍ରାୟ ୧୨ ଶହ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ଦାଏର କରିଛି ଉତ୍ତରପ୍ରଦେଶ ପୁଲିସ୍‌। ଧାରା ୧୪୪ର ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ଦାଏର ହୋଇଛି। ଏମାନଙ୍କ ମଧ୍ୟରୁ ଅନେକ ମହିଳା ମଧ୍ୟ ଅଛନ୍ତି।

ପ୍ରୟାଗରାଜରେ ୩୦୦ ଜଣ, ଇଟାୱାରେ ୨୦୦ ଜଣ, ଆଲିଗଡ଼ରେ ୬୦ ଜଣ ମହିଳାଙ୍କ ବିରୋଧରେ ମାମଲା ଦାଏର ହୋଇଛି। ଲକ୍ଷ୍ନୌ, କାନପୁରର ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀ ମଧ୍ୟ ଏଥିରେ ଅଛନ୍ତି।

ଅନ୍ୟପକ୍ଷରେ, ବିକ୍ଷୋଭକାରୀମାନେ ଆଜାଦୀ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକ୍ଷୋଭକାରୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବିକ୍ଷୋଭ ନାଁରେ ଯଦି କେହି ଆଜାଦୀ ସ୍ଲୋଗାନ୍‌ ଦେବେ, ତା’ହେଲେ ଏହାକୁ ଦେଶଦ୍ରୋହ ଭାବେ ବିଚାର କରାଯିବ। ସେହିପରି ସେମାନଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ। ଏହାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ। ଭାରତ ମାଟିରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କୁ କେବେ ହେଲେ ଛଡ଼ା ଯିବ ନାହିଁ’।

ସିଏଏ ବିରୋଧରେ ଉତ୍ତର ପ୍ରଦେଶର ବିଭିନ୍ନ ସହରମାନଙ୍କରେ ପ୍ରଦର୍ଶନ ଜାରି ରହିଛି। ସୂଚନାଥାଉ କି, କିଛି ଦିନ ତଳେ ଲକ୍ଷ୍ନୌରେ କିଛି ପ୍ରଦର୍ଶନକାରୀ ମହିଳାଙ୍କୁ ଗିରଫ କରାଯାଇଥିଲା। ପରେ ପୁଲିସ୍ ସେମାନଙ୍କୁ ଛାଡ଼ି ଦେଇଥିଲା।

You might also like