ହତ୍ୟା ଅଭିଯୋଗରେ ଫେରାର ରେସଲର ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ : ପ୍ରଖ୍ୟାତ ରେସଲର ସୁଶୀଲ କୁମାର ଗିରଫ । ମେ ୪ ଛତ୍ରଶାଲ ଷ୍ଟାଡିୟମ ଧସ୍ତାଧସ୍ତି ଘଟଣାରେ ଜଣେ ପୂର୍ବତନ ରେସଲରଙ୍କ ମୃତ୍ୟୁ ମାମଲାରେ ସୁଶୀଲଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦୀର୍ଘ ୧୫ ଦିନର ଖୋଜାଖାଜି ପରେ ପଞ୍ଜାବର ଜଳନ୍ଧର ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ସୁଶୀଲଙ୍କ ସହ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ମେ ୪ ତାରିଖ ଦିନ ଛତ୍ରଶାଲ ଷ୍ଟାଡିୟମରେ ୨ ଗୋଷ୍ଠୀର ରେସଲରଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ହୋଇଥିଲା । ଏଥିରେ ୨୩ ବର୍ଷୀୟ ସାଗର ଧନକର ଗୁରୁତର ଆହତ ହୋଇଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୋଗ ପରେ ସୁଶୀଲଙ୍କ ବିରୋଧରେ ୩୦୨,୩୦୮,୩୬୫,୩୨୫,୩୨୩, ୩୪୧ ଓ ୫୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ମାମଲା ପରଠାରୁ ସୁଶିଲ ଫେରାର ହୋଇଯାଇଥିଲେ । ଫଳରେ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ପଞ୍ଜାବ ଓ ହରିୟାଣାର ଚଢଉ ଚାଲିଥିଲା ।

ମେ ୧୫ରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ତେବେ ଗିରଫଦାରୀରୁ ବଞ୍ଚିବା ପାଇଁ ୧୮ ତାରିଖ ଦିନ ଦିଲ୍ଲୀର ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ।  ଏହାପରେ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ସଂପର୍କରେ ସୂଚନା ଦେବା ଲାଗି ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।

You might also like