ଚାଇନାର ପୁରୁଣା ମ୍ୟାପ୍ କହୁଛି ଅକ୍ସାଇ-‌ଚୀନ ଭାରତର

ଶ୍ରୀନଗର: ୧୯୬୨ ମସିହା ପରଠାରୁ ଚାଇନା କବ୍‌ଜା କରି ରଖିଥିବା ଅକ୍ସାଇ-ଚିନ୍‌ ଅଞ୍ଚଳ ଦିନେ ଭାରତ ଅଂଶଥିଲା। ଉନବିଂଶ ଓ ବିଂଶ ଶତାବ୍ଦୀର ଚାଇନା ମ୍ୟାପ୍‌ରୁ ଏହା ସ୍ପଷ୍ଟ ଜଣାପଡ଼େ। ଏହି ମ୍ୟାପ୍‌ରେ ଅକ୍ସାଇଚିନ୍‌ ଭାରତର ଲଦାଖ ଅଞ୍ଚଳର ଏକ ଅଂଶ ଥିଲା ବୋଲି ଦେଖାଯାଉଛି। କିନ୍ତୁ ଚାଇନା ଏହା ଉପରେ ବେଆଇନ୍‌ କବ୍‌ଜା କରିଛି।

୧୯୧୯ ତିବେତ୍‌ର ଏକ ମ୍ୟାପ୍‌ରେ ଅକ୍ସାଇଚିନ୍‌ ଭାରତ ଭାଗ ବୋଲି ସ୍ପଷ୍ଟ ଦର୍ଶାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଲିଟ୍ୟୁନାଣ୍ଟ ଜେନେରାଲ୍‌ ତଥା କାଶ୍ମୀର ପୂର୍ବତନ କର୍ପସ୍ କମାଣ୍ଡର ଗୁରମିତ ସିଂହ। ସେହିଭଳି ୧୮୯୩ ଓ ୧୯୦୯ର ଏକ ମ୍ୟାପ୍‌ରେ ମଧ୍ୟ ଅକ୍ସାଇଚିନ୍ ଭାରତର ଅଂଶ ଥିବା ଦେଖାଯାଉଥିବା ଏକ ଜାତୀୟ ଗଣମାଧ୍ୟମ ଦର୍ଶାଇଛି।

ବର୍ତ୍ତମାନ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖାଉଥିବା ବେଳେ ଏଭଳି ଖବର ସାମ୍ନାକୁ ଆସିଛି। ଆମେରିକା ବାରମ୍ବାର ମଧ୍ୟସ୍ଥିର କଥା କହୁଥିବା ବେଳେ ଭାରତ ଓ ଚାଇନା ଏହାର ପ୍ରତ୍ୟାକ୍ଷାନ କରୁଛନ୍ତି। ତେବେ ମ୍ୟାପ୍‌କୁ ଦେଖିଲେ ବିବାଦ ସମ୍ପୂର୍ଣ୍ଣ ଭାରତ ସପକ୍ଷରେ ଯିବ ବୋଲି ଜଣାପଡ଼ୁଛି।

ନିକଟରେ ସୀମା ବିବାଦ ନେଇ ଦୁଇ ଦେଶର ଯବାନଙ୍କ ମଧ୍ୟରେ ପୂର୍ବ ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ମାର୍‌ପିଟ୍‌ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ। ଏହାପରେ ଭାରତର ଯବାନଙ୍କ ପେଟ୍ରୋଲିଂକୁ ଅଟକାଇଥିଲା ଚାଇନା। ଏହାପରଠାରୁ ଉତ୍ତେଜନା ବଢ଼ିବାରୁ ଦୁଇ ଦେଶ ସୀମାରେ ସେନା ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି।

ସେହିଭଳି ତାଇବାନ୍‌ ନବନିର୍ବାଚିତ ନେତାଙ୍କୁ ବିଜେପି ସାଂସଦଙ୍କ ଶୁଭେଚ୍ଛା ଜଣାଇବା ଘଟଣା ଚାଇନାର କଟା ଘାରେ ଚୁନ ଦେବା ଭଳି ହୋଇଛି। ଏଥିରେ ତୀବ୍ର ବିରୋଧର କରିଛି ବେଜିଂ।

ତେବେ କରୋନାକୁ ନେଇ ସାରା ବିଶ୍ୱରେ ଚାଇନାର ଚେହେରା ଖରାପ ହୋଇଯାଇଥିବାରୁ ଅନେକ ବଡ଼ ବଡ଼ ଦେଶ ଏହି ଦେଶ ପ୍ରତି ବିମୁଖ ହେଲେଣି। ବ୍ରିଟେନ୍‌ ଚାଇନାକୁ ବ୍ୟାନ୍ କରିବାକୁ ଭାବୁଥିବା ବେଳେ ଆମେରିକା ଚାଇନାକୁ ପଛରେ ପକାଇବା ମଉକାରେ ଅଛି। ସେହିଭଳି ଋଷ ସହିତ ବି ଚାଇନାର ସମ୍ପର୍କ ସେତେ ଭଲ ନାହିଁ। ଆଉ ଏହି ସବୁ ରାଷ୍ଟ୍ର ସହିତ ଭାରତର ସମ୍ପର୍କ ଭଲ ରହିଥିବାରୁ ପାଣିପାଗ ଭାରତ ସପକ୍ଷରେ ଯାଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

You might also like