ଗଡସେ ଓ ମୋଦିଙ୍କ ବିଚାରଧାରା ସମାନ:ରାହୁଲ ଗାନ୍ଧି

ୱାୟନାଡ଼: ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଫସିଲେ ରାହୁଲ ଗାନ୍ଧି। ୧୯୪୮ ଆଜିର ଦିନରେ ଗୋଡ୍‌ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲା। ଏହାକୁ ସମଗ୍ର ଦେଶ ସହିଦ ଦିବସ ରୂପେ ପାଳନ କରୁଥିବା ବେଳେ ଗାନ୍ଧି ହତ୍ୟାକାରୀଙ୍କ ସହିତ ମୋଦିଙ୍କୁ ତୁଳନା କରି ବିବାଦକୁ ଆସିଛନ୍ତି ରାହୁଲ୍।

ସିଏଏ ବିରୋଧରେ କେରଳରେ ଆୟୋଜିତ ରାଲିରେ ଯୋଗଦେଇ ରାହୁଲ କହିଛନ୍ତି, ନାଥୁରାମ ଗଡସେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନ ବିଚାରଧାରାରେ ବିଶ୍ୱାସ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଭାରତୀୟଙ୍କୁ ସେମାନେ ଭାରତୀୟ ବୋଲି ପ୍ରମାଣ କରିବାକୁ ବାଧ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏତେ ମାତ୍ରାରେ କ୍ରୋଧିତ ଯେ ସେ ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ଭୁଲି ଯାଇଛନ୍ତି।

ସେ ଏତେ ଅହଂକାରୀ ହୋଇଯାଇଛନ୍ତି ଯେ ଭାରତର ଶକ୍ତି କ’ଣ ସେକଥା ଭୁଲି ଯାଇଛନ୍ତି। ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ଗଡସେରର ବିଚାର ଧାରା ସହ ତାଙ୍କ ବିଚାରଧାରା ସମାନ। ଉଭୟ ଗୋଟିଏ ବିଚାରଧାରାରେ ବିଶ୍ୱାସ କରନ୍ତି। ଏଥିରେ କୌଣସି ପାର୍ଥକ୍ୟ ନାହିଁ। କେବଳ ମୋଦିଜୀ ଗଡସେର ବିଚାରଧାରାରେ ବିଶ୍ୱାସ କରନ୍ତି ବୋଲି କହିବାକୁ ସାହସ କରିପାରୁନାହାନ୍ତି।

ଭାରତର ସବୁଠାରୁ ମହାନ ବ୍ୟକ୍ତି ଆଜି ଆମକୁ ଛାଡ଼ି ଚାଲି ଯାଇଥିଲେ। ନାଥୁରାମ ଗଡସେ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିବା ପାଇଁ ଏକାଧିକ ଥର ଚେଷ୍ଟା କରିଥିଲା। ହେଲେ ସେ ୧୯୪୮ ମସିହା ଆଜିର ଦିନରେ ଗାନ୍ଧିଜୀଙ୍କୁ ଆମଠାରୁ ଛଡ଼ାଇ ନେଇଥିଲା। ଗାନ୍ଧି ସତ୍ୟର ସନ୍ଧାନ କରୁଥିବାରୁ ଗଡସେ ତାଙ୍କୁ ଘୃଣା କରୁଥିଲା। ”

ସିଏଏକୁ ବିରୋଧ କରି ରାହୁଲ କହିଛନ୍ତି,“ଭାରତୀୟମାନଙ୍କୁ ସେମାନେ ଭାରତୀୟ ବୋଲି ପ୍ରମାଣ କରିବାକୁ ପଡ଼ୁଛି। କିଏ ଭାରତୀୟ ଆଉ କିଏ ଭାରତୀୟ ନୁହନ୍ତି ବୋଲି ନିଷ୍ପତ୍ତି ନେବାକୁ ନରେନ୍ଦ୍ର ମୋଦି କିଏ? ମୋଦିଙ୍କୁ କିଏ ଏଥିପାଇଁ ଲାଇସେନ୍ସ ଦେଇଛି?

ମୁଁ ଜାଣିଛି ମୁଁ ଜଣେ ଭାରତୀୟ। ଏହାର ପ୍ରମାଣ ମୁଁ କାହାକୁ ଦେଇପାରିବି ନାହିଁ। ମୋ ଭଳି ୧.୪ ମିଲିୟନ ଭାରତୀୟ ମଧ୍ୟ ସେମାନେ ଭାରତୀୟ ବୋଲି ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ।

You might also like