ରୋମାଣ୍ଟିକ୍ ଟ୍ରିପରେ ଯାଇ ଧରାପଡ଼ିଲେ କି ମେହୁଲ ଚୋକସି ? ଖୁଲାସା କଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତଙ୍କୁ ଗର୍ଲଫ୍ରେଣ୍ଡ ସହ ବୁଲିଯିବା ମହଙ୍ଗା ପଡ଼ିଲା କି ? କିପରି ଧରାପଡ଼ିଲେ ମେହୁଲ ଚୋକସି  ? ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ।  ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି, ହୀରା ବ୍ୟବସାୟୀ ମେହୁଲ ଚୋକସି ବୋଧହୁଏ ତାଙ୍କ ପ୍ରେମିକାଙ୍କ ସହ ଡୋମିନିକାକୁ ରୋମାଣ୍ଟିକ ଯାତ୍ରା କରି ସେଠାରେ ଧରାପଡ଼ିଛନ୍ତି ।

ମେହୁଲ ଚୋକସିଙ୍କୁ ଭାରତ ପ୍ରତ୍ୟର୍ପଣ ଦାବି ଭିତରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି ।  ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ ଅନୁଯାୟୀ ଏକ ସାକ୍ଷାତକାରରେ ଗେଷ୍ଟନ୍ ବ୍ରାଉନ୍ କହିଛନ୍ତି ମେହୁଲ ଚୋକସି ଭୁଲ କରିଦେଲେ । ପ୍ରେମିକା ଚକ୍କରରେ ଫସି ଯାଇଛନ୍ତି ହୀରା ବ୍ୟବସାୟୀ । ନିଜ ପ୍ରେମିକା ସହ କିଛି ମୁହୂର୍ତ୍ତ ବିତାଇବାକୁ ଯାଇଥିଲେ, ହେଲେ ଦୁର୍ଭାଗ୍ୟର ବିଷୟ ସେଠାରେ ପୋଲିସ ହାତରେ ଧରା ପଡ଼ିଗଲେ ମେହୁଲ ଚୋକସି । ସେପେଟ ଜେଲରେ ବନ୍ଦ ଥିବା ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ଗତକାଲି ସାମ୍ନାକୁ ଆସିଛି । ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି ମେହୁଲ ଚୋକସି ଜେଲରେ ବନ୍ଦ ଥିବା ବେଳେ ତାଙ୍କ ହାତରେ କ୍ଷତ ଚିହ୍ନ ରହିଛି । ଆଖି ଲାଲ ଲାଲ ଦେଖାଯାଉଥିବା ବେଳେ ଶରୀରର ସମ୍ପୂର୍ଣ୍ଣ ଦୁର୍ବଳ ଦେଖାଯାଉଛି । କ୍ଷତ ହୋଇଥିବା ସ୍ଥାନ କଳା ପଡ଼ି ଯାଇଛି, ହାତରେ କ୍ଷତ ଚିହ୍ନ ଦେଖିବାକୁ ମିଳୁଛି ।

ମେହୁଲ ଚୋକସିଙ୍କୁ ବଳପୂର୍ବକ ଭାବେ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଓକିଲ । ନିଜେ ଫେରାର ହୋଇନଥିଲେ, ତାଙ୍କୁ ମାଡ଼ ମାରି ଡୋମିନିକା ନିଆଯାଇଥିଲା । ମେହୁଲ ଚୋକସିଙ୍କୁ କଥିତ ଭାବେ ନିର‌୍ୟାତନା ଦିଆଯାଇଥିବା କଥା ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ଅଗ୍ରୱାଲ । ମେହୁଲ ଚୋକସି କିପରି ଡୋମିନିକା ପହଞ୍ଚିଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ନଆସିଲେ କିଛି କହିହେବ ନାହିଁ । ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ରଚାଯାଇଛି । ମେହୁଲ ନିଜେ କଦାପି ଡୋମିନକା ପହଞ୍ଚି ନାହାନ୍ତି ବୋଲି କହି ସନ୍ଦେହ ପ୍ରକାଶ କରି ଥିଲେତାଙ୍କ ଓକିଲ ।

ସୂଚନାଯୋଗ୍ୟ ମେ ୨୩ ରବିବାର ଦିନ ମେହୁଲ ଚୋକସି ଅପରାହ୍ନ ୫.୩୦ ରେ କୁଆଡ଼େ ଫେରାର ହୋଇଯାଇଥିଲେ । ଆଖାପାଖ ଅଞ୍ଚଳରେ ଖୋଜାଖୋଜି କଲାପରେ ବି ତାଙ୍କର ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପରିବାର ସଦସ୍ୟ ତଥା ଭାରତରେ ରହୁଥିବା ମେହୁଲ ଚୋକସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଥିଲେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଛନ୍ତି ମେହୁଲ ଚୋକସି । ତେବେ ଏହି ଘଟଣା ପରେ ରୟାଲ ପୋଲିସ ଫୋର୍ସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ସେ ଯାଇଥିବା ରେଷ୍ଟୁରାଣ୍ଟ ବାହାରେ ତାଙ୍କର ଗାଡ଼ି ମିଳିଥିବା, ଆଉ ସେ କ୍ୟୁବା ପଳାୟନ କରିଥିବା ସନ୍ଦେହ କରାଯାଉଥିଲା । ତେବେ ଅନେକ ଖୋଜାଖୋଜି ପରେ ଡୋମିନିକାରେ ଧରାପଡ଼ିଥିଲେ ମେହୁଲ ଚୋକସି ।

ଭାରତର ପଳାତକ ବ୍ୟବସାୟୀ ଚୋକସି ଚୋକସି ଦୀର୍ଘ ଦିନ ଧରି ଆଣ୍ଟିଗୁଆର ଜଲି ହାରବର୍ ଅଞ୍ଚଳରେ ରହୁଥିଲେ । ଚୋକସିଙ୍କ ବିରୋଧରେ ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଲାଗିଛି । ୨୦୧୮ ମସିହାରେ ମେହୁଲ ଚୋକସି ଗୁପ୍ତରେ ଭାରତ ଛାଡି ପଳାଇ ଯାଇଥିଲେ। ସେବେଠାରୁ ଦେଶର ଯାଂଚ ଏଜେନ୍ସି ସିବିଆଇ ଏବଂ ଇଡି ଟିମ୍ ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି ।

You might also like