ଦୂର ହେବ ଦୁଃଖ ! ଏଣିକି ଗର୍ଭବତୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଆସିବ ସବାରୀ

ନୈନିତାଲ:ରାସ୍ତାଘାଟର ସୁବିଧା ନ ଥିଲେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ରୋଗୀ ବିଶେଷକରି ଗର୍ଭବତୀ ମହିଳା ଓ ସେମାନଙ୍କ ପରିବାର ଲୋକେ ହିଁ କହିପାରିବେ। ରାସ୍ତା ଅବ୍ୟବସ୍ଥା ଯୋଗୁ ଆମ୍ବୁଲାନ୍ସ ଆସି ନ ପାରିବା, ରୋଗିଙ୍କୁ ଭାରରେ ବୋହି  ନେବା…ଏସବୁ ଓଡ଼ିଶାରେ ସାଧାରଣ କଥା। ଏପରିକି ଗର୍ଭବତୀ ମହିଳାଙ୍କୁ ଭାରରେ ନେବା ବାଟରେ ସନ୍ତାନ ପ୍ରସବ ଦେବା, ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରିବାରୁ ମା’ କିମ୍ବା ଶିଶୁଙ୍କର ମୃତ୍ୟୁ ଘଟିବା ମଧ୍ୟ କିଛି ନୂଆ କଥା ନୁହେଁ। ହେଲେ ଗାଁ ତଥା ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀଙ୍କୁ ଆଉ ଏଣିକି ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି। କାରଣ ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସରକାର ଆଣିଛନ୍ତି ଏକ ନୂଆ ଯୋଜନା।

ପାହାଡି ଇଲାକାରେ ଗର୍ଭବତୀ ମହିଳାମାନେ ପାଦରେ ଚାଲି ଚାଲି ଡାକ୍ତରଖାନା ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗର୍ଭବତୀଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଇଛନ୍ତି। ଗର୍ଭବତୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସବାରି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୫୦୦ ସବାରିର ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଏଥିପାଇଁ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ତେବେ ଏପରି ସୁବିଧା ଉତ୍ତରାଖଣ୍ଡର ନୈନିତାଲରେ କରାଯାଇଛି।

ବିଶେଷକରି ନୈନିତାଲର ପାହାଡି ବିକାଶ ଖଣ୍ଡ ଧାରୀ, ରାମଗଡ, ଓଖଲକାଣ୍ଡା ବେତାଲଘାଟ,  ଭୀମତାଲ ଅଞ୍ଚଳରେ ରହୁଥିବା  ଗ୍ରାମୀଣ ମହିଳାଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଜିଲ୍ଲାଧିକାରୀଙ୍କ କହିବା ଅନୁଯାୟୀ, ଦୁର୍ଗମ ଅଞ୍ଚଳର ମହିଳାମାନେ  ଜରୁରୀକାଳୀନ ପରିସ୍ଥିତିରେ ପାଦରେ ଚାଲି ଚାଲି ଡାକ୍ତରଖାନା ଆସୁଛନ୍ତି। ଏପରି ପରିସ୍ଥିତିରେ ସବାରୀ ବହୁତ ସହାୟକ ହେବ । ଗର୍ଭବତୀଙ୍କୁ ସବାରୀରେ ବୋହି ଆଣୁଥିବା ଲୋକଙ୍କୁ ୨ ହଜାର ଲେଖାଏ ଟଙ୍କା ଦିଆଯିବ। ତେବେ ମୁଖ୍ୟ ସଡକଠାରୁ ଯେଉଁ ଗାଁ ଗୋଟିଏ କିମି ଦୂରରେ ଥିବ ସେହି ଗ୍ରାମର ମହିଳାଙ୍କୁ ଏହି ସୁବିଧା ମିଳିପାରିବ।

ସୂଚନାଥାଉ କି, ସର୍ଭେ ରିପୋର୍ଟ ଅନୁସାରେ ଉତ୍ତରାଖଣ୍ଡରେ ଶିଶୁ ମୃତ୍ୟୁ ହାର ୩୨ ଥିବାବେଳେ ମାତୃମୃତ୍ୟୁ ହାର ୧୬୫ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନାରେ ପ୍ରସବ ହାର ୮୭ ପ୍ରତିଶତ ରହିଛି।

You might also like