ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ! ହିନ୍ଦୀ ସମେତ ୮ ଆଞ୍ଚଳିକ ଭାଷାରେ କରିପାରିବେ ଇଞ୍ଜିନିୟରିଂ

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ଭାଷାର ୮ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟର ଡିଗ୍ରୀ କରିବା ପାଇଁ All India Council for Technical Education (AICTE) କଲେଜ ଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ନୂଆ ଶିକ୍ଷା ବର୍ଷ (2020-21)ରୁ ଏହା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ୮ ଆଞ୍ଚଳିକ ଭାଷା ହେଲା- ମରାଠୀ, ହିନ୍ଦୀ, ବଙ୍ଗାଳୀ, ତେଲୁଗୁ, ତାମିଲ, ଗୁଜରାଟି, କନ୍ନଡ ଓ ମାଲାୟାଲାମ।

ଏହାଦ୍ୱାରା ବିଶେଷ କରି ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଜଣାପଡ଼ିଛି। ସାଧାରଣତଃ, ଦେଖିବାକୁ ମିଳିଛି ଯେ, ଅଧିକାଂଶ ଛାତ୍ରଛାତ୍ରୀ ଇଂରାଜୀ ନଆସିବା ଭୟରେ ଇଞ୍ଜିନିୟରିଂ କୋର୍ସ କରିନଥାନ୍ତି। ହେଲେ ଏବେ ସେମାନଙ୍କୁ ଆଉ ଭୟ କରିବାକୁ ପଡ଼ିବ ନାହିଁ। ଅନେକ ଦେଶ ଯେପରି-ଜର୍ମାନୀ, ଫ୍ରାନ୍ସ, ଋଷିଆ, ଜାପାନ ଓ ଚୀନ ଇତ୍ୟାଦିରେ ସେମାନଙ୍କର ସରକାରୀ ଭାଷାରେ ସମ୍ପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଥାନ୍ତି।

ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ମାତୃଭାଷାରେ ଟେକ୍ନିକାଲ୍‌ ଶିକ୍ଷା ପ୍ରଦାନ କରିବାର ଉଦ୍ଦେଶ୍ୟ ହେଉଛି, ଏହାଦ୍ୱାରା ଭଲ ଭାବରେ ସେମାନେ ମୌଳିକତାକୁ ବୁଝିପାରିବେ ବୋଲି AICTE ଚେୟାରମ୍ୟାନ୍‌ କହିଛନ୍ତି। ଜାତୀୟ ଗଣମାଧ୍ୟମ The Times Of Indiaକୁ ସୂଚନା ଦେଇ ସେ କହିଛନ୍ତି, ଭବିଷ୍ୟତରେ ଆଉ ୧୧ ଭାଷାରେ UG ଇଞ୍ଜିନିୟରିଂ କୋର୍ସ ପ୍ରଦାନ କରିବା ଲାଗି ଆମେ ଯୋଜନା କରୁଛୁ।

You might also like