ସିଏଏକୁ ନେଇ ଦୁଇ ଭାଗ ହେଲା କଂଗ୍ରେସ ! ଶିବଲଙ୍କ ପରେ ଏବେ ହୁଡା କହିଲେ ଏମିତି

ନୂଆଦିଲ୍ଲୀ: ସିଏଏକୁ ନେଇ ଦୁଇ ଭାଗରେ ବିଭକ୍ତ ହେଲା କି କଂଗ୍ରେସ ? ପ୍ରଥମେ କପିଲ ଶିବଲ ଆଉ ଏବେ କଂଗ୍ରସର ଆଉ ଜଣେ ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି।  କୌଣସି ରାଜ୍ୟ ପାର୍ଲିଆମେଣ୍ଟଦ୍ୱାରା ପାସ୍ ହୋଇଥିବା ଆଇନ୍‌କୁ ରୋକ୍ ଲଗାଇ ପାରିବେ ନାହିଁ, ଏବଂ ଲଗାଇବା କଥା ମଧ୍ୟ ନୁହଁ  ବୋଲ ହୁଡା କହିଛନ୍ତି।

ସେ କହିଛନ୍ତି “ ଥରେ କୌଣସି ଆଇନ୍‌ କିମ୍ବା ଅଧିନିୟମ ପାସ୍‌ ହେଲେ, ମୁଁ ଭାବୁଛି ସାମ୍ବିଧାନିକ ଦୃଷ୍ଟିକୋଣରୁ କୌଣସି ରାଜ୍ୟ ଏହା ଉପରେ ରୋକ୍‌ ଲଗାଇପାରିବେ ନାହିଁ କି ରୋକ୍ ଲଗାଇବା କଥା ମଧ୍ୟ ନୁହେଁ। କିନ୍ତୁ ଏହାକୁ ଆଇନଗତ ଭାବରେ ଯାଞ୍ଚ କରାଯାଇପାରିବ।”

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କପିଲ ଶିବଲ ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ ଯେ ଯଦି ପାର୍ଲିଆମେଣ୍ଟରେ କୌଣସି ବିଲ୍‌ ପାସ୍ ହୋଇଥିବ ତେବେ ଏହାକୁ ଲାଗୁ କରିବାରେ କୌଣସି ରାଜ୍ୟ ମନା କରିପାରିବେ ନାହିଁ। ଏପରି କରିବା ଅସମ୍ଭବ ଓ  ଅସାମ୍ବିଧାନିକ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହାକୁ ବିରୋଧ କରାଯାଇ ପାରିବ। ଏଥିପାଇଁ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ କରି ଆଇନ୍‌କୁ ଉଠାଇ ନେବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ କୁହାଯାଇପାରେ।

ପ୍ରକାଶ ଥାଉକି, ସିଏଏ ଆଇନ୍‌ ବିରୋଧରେ କେରଳ ପ୍ରଥମେ ଓ ପରେ ପଞ୍ଜାବ ସରକାର ସଂକଳ୍ପ ପାସ୍ କରି ସାରିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଆଇନ୍‌ ଘୋର୍ ବିରୋଧ କରିବା ସହିତ ରାଜ୍ୟରେ ଆଇନ୍‌ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି। ସେହିଭଳି କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ଏହି ଆଇନ୍‌କୁ ପ୍ରବଳ ବିରୋଧ ହେଉଛି।

ତେବେ କପିଲ ଶିବଲଙ୍କ କହିବା ପରେ, କଂଗ୍ରେସ ଦାବି କରିଛି ଯେ  ରାଜ୍ୟମାନଙ୍କର କେନ୍ଦ୍ରକୁ ଚ୍ୟାଲେଞ୍ଜ କରିବାର ଅଧିକାର ରହିଛି। ଏବଂ ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଏହାର ଫୈସଲା ହୋଇନାହିଁ ସେ ପର୍ଯ୍ୟନ୍ତ ଏଭଳି ଅସାମ୍ବିଧାନିକ ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ରାଜ୍ୟକୁ ବାଧ୍ୟ କରିପାରିବ ନାହିଁ ବୋଲି କଂଗ୍ରେସ କହିଛି।

You might also like