ଖାଇବାକୁ ମିଳିଲାନି, ଶେଷରେ କିଙ୍ଗ୍‌ କୋବ୍ରାକୁ ମାରିଦେଲେ

ଗୌହାଟୀ: ସମଗ୍ର ଦେଶରେ କରୋନାର ବିପର୍ଯ୍ୟୟ ଜାରି ରହିଛି। କରୋନା ଭାଇରସ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହାକୁ  ଦୃଷ୍ଟିରେ ରଖି ଦେଶରେ ୩ମଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତିନି ଜଣ ବ୍ୟକ୍ତି ୧୨ ଫୁଟ୍‌ ଲମ୍ୱର ଏକ କିଙ୍ଗ୍‌ କୋବ୍ରାକୁ ମାରି କାନ୍ଧରେ ନେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟି ଅରୁଣାଚଳ ପ୍ରଦେଶର। ଭିଡିଓଟିରେ ଲୋକମାନେ କହୁଛନ୍ତି ଯେ ଆମେମାନେ ଖାଇବା ପାଇଁ ଜଙ୍ଗଲରୁ ଏହି ବିଷାକ୍ତ ସାପକୁ ମାରିଛୁ।

ସେମାନେ ଏହି କିଙ୍ଗ୍‌ କୋବ୍ରାକୁ ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଯେପରି ମାଂସକୁ ସଫା କରିବା ପାଇଁ ଏବଂ କାଟିବା ପାଇଁ କଦଳୀ ପତ୍ରର ବ୍ୟବସ୍ଥା ମଧ୍ୟ କରିଥିଲେ। ଭାଇରାଲ ଭିଡିଓରେ ସେମାନଙ୍କ ମଧ୍ୟରୁ ଜଣେ କହୁଥିବାର ଶୁଣିବାକୁ ମିଳୁଛି ଯେ, କରୋନା ଭାଇରସକୁ ନେଇ ଲକ୍‌ଡାଉନ୍‌ କାରଣରୁ ତାଙ୍କ ଘରେ ଖାଇବାକୁ କିଛି ସାମଗ୍ରୀ ନାହିଁ। ସେଥିପାଇଁ ଆମେ ଜଙ୍ଗଲକୁ ଖାଦ୍ୟର ସନ୍ଧାନରେ ଯାଇଥିଲୁ, ତା’ପରେ ଏହି କିଙ୍ଗ୍‌ କୋବ୍ରାକୁ ପାଇଥିଲୁ।

ଏନେଇ ଜଙ୍ଗଲ ଅଧିକାରୀ କହିଛନ୍ତି ଯେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏହି ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କିନ୍ତୁ ତିନି ଜଣ ସେଠାରୁ ଖସିଯିବାରେ ସଫଳ ହୋଇଛନ୍ତି। କିଙ୍ଗ କୋବ୍ରା ଏକ ସଂରକ୍ଷିତ ସରୀସୃପ ଓ ଏହାକୁ ମାରିବା ହେଉଛି ଏକ ଅପରାଧ। ଏଭଳି ଘଟଣାରେ ଜାମିନ୍‌ ମଧ୍ୟ ମିଳିବ ନାହିଁ।

 

You might also like