ବିମୁଦ୍ରାକରଣ ଏକ ଝଟକା ନଥିଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବିମୁଦ୍ରାକରଣ ନିଷ୍ପତ୍ତି ଦେଶବାସୀଙ୍କ ପାଇଁ ଝଟକା ନଥିଲା। ନୂଆବର୍ଷ ଅବସରରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିମୁଦ୍ରାକରଣର ବର୍ଷକ ପୂର୍ବରୁ କଳାଧନ ଗଚ୍ଛିତ ରଖିଥିବା ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା। ଯେଉଁମାନେ କଳା ଟଙ୍କା ରଖିଛନ୍ତି, ଧାର୍ଯ୍ୟ ଜରିମାନା ଦେଇ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଥିଲା। କିନ୍ତୁ ମୋଦିଙ୍କୁ ଲୋକେ ଅନ୍ୟ ସରକାର ଭଳି ଭାବିଲେ, ବହୁତ କମ୍ ଲୋକ ସ୍ୱେଚ୍ଛାକୃତ ଭାବେ ଏ କଥାକୁ ପାଳନ କରିଥିବା ମୋଦି କହିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିର  ନିର୍ମାଣ ନେଇ ଅଧ୍ୟାଦେଶ ଆଣିବା ଲାଗି ହେଉଥିବା ଦାବି ଉପରେ ବି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ। କୋର୍ଟଙ୍କ ଚୁଡ଼ାନ୍ତ ରାୟ ଆସିଲା ପରେ ହିଁ ଏସଂପର୍କରେ ବିଚାର କରାଯାଇପାରିବ ବୋଲି ସେ କହିଛନ୍ତି।ଆଗାମୀ ସାଧାରଣ ନିର୍ବାଚନ, ଜନତା ବନାମ ଗଠବନ୍ଧନ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ରିଜର୍ଭ ବ୍ୟାଙ୍କରେ ସରକାରୀ ହସ୍ତକ୍ଷେପ ଅଭିଯୋଗ ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ଓ ବହୁ ପୂର୍ବରୁ ସେ ଏନେଇ ଜଣାଇଥିବା ମୋଦି କହିଛନ୍ତି। ତାଙ୍କ ଇସ୍ତଫା ପଛରେ କୌଣସି ରାଜନୈତିକ ଚାପକୁ ସେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ପ୍ରଧାନମନ୍ତ୍ରୀ ପାକିସ୍ତାନ ସହ ସଂପର୍କ, ସର୍ଜିକାଲ ଷ୍ଟ୍ରାଇକ୍, ଜିଏସ୍‌ଟି ଓ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ବି ମତ ରଖିଛନ୍ତି।

You might also like