ମଦ ପିଇବାକୁ ଟଙ୍କା ଦେଲାନି ସ୍ତ୍ରୀ : ଶୋଇଥିବା ସମୟରେ ନାକ ଓ ଓଠ କାଟିଦେଲା ସ୍ୱାମୀ

ଯୋଦ୍ଧପୁର : ମଦୁଆ ସ୍ୱାମୀର ନାରକୀୟ କାଣ୍ଡ। ମଦ ପିଇବା ପାଇଁ ଟଙ୍କା ନମିଳିବାରୁ ଶୋଇଥିବା ସମୟରେ ସ୍ତ୍ରୀର ନାକ ଓ ଓଠ କାଟିଦେଲା । ଯୋଦ୍ଧପୁର ପ୍ରତାପନଗର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ ଓଠ ଓ ନାକ କାଟିବା ପରେ ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଜଣକ ଅଭ୍ୟାସଗତ  ମଦ୍ୟପ ବୋଲି ଜଣାପଡ଼ିଛି । ତେବେ ହସ୍ପିଟାଲରେ ପହଞ୍ଚିବା ପରେ ମହିଳା ଜଣକ ପୁଲିସକୁ ଫୋନ କରି ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁସାରେ ମହିଳାଙ୍କୁ ସ୍ୱାମୀ ବାବୁଲାଲ ଛାଡ଼ପତ୍ର ଦେଇ ସାରିଛନ୍ତି । ଅଭିଯୁକ୍ତଙ୍କ ଠାରୁ ଅଲଗା ହେବା ପରେ ଅନ୍ୟ ଜଣକୁ ବିବାହ କରିଥିଲେ ମହିଳା। ତେବେ କିଛି ଦିନ ପୂର୍ବରୁ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ତା’ପରେ ବାବୁଲାଲ ପୁଣି ଥରେ ଆସି ମହିଳାଙ୍କ ସହ ରହିବାରେ ଲାଗିଲା। ବାବୁଲାଲ ପକ୍ଷରୁ ମହିଳାଙ୍କ ଦୁଇ ସନ୍ତାନ ଥିବା ବେଳେ ଦ୍ୱିତୀୟ ବିବାହରୁ ଜଣେ ସନ୍ତାନ ଅଛି।

ତେବେ ଅନେକ ଦିନର ବ୍ୟବଧାନ ପରେ ବି ଅଭିଯୁକ୍ତର ବ୍ୟବହାର ଓ ମତିଗତିରେ କୌଣସି ପରିବର୍ତ୍ତନ ହୋଇନଥିଲା। ସବୁ ଦିନ ମଦ ପିଇ ଆସି ଗଣ୍ଡୋଗୋଳ କରୁଥିଲା। ଅଭିଯୁକ୍ତ ବାବୁଲା ପୂର୍ବପରି ମଦ ପିଇ ସ୍ତ୍ରୀକୁ ଗାଳିଗୁଲଜ କରିବା ସହ ପିଟାମରା କରୁଥିଲା । ତେବେ ଘଟଣା ଦିନ ମଧ୍ୟ ପ୍ରଚୁର ମଦ ପିଇ ଘରକୁ ଫେରିଥିଲା ଅଭିଯୁକ୍ତ । ସନ୍ଧ୍ୟାରେ ଘରକୁ ଫେରିବା ପରେ ମହିଳାଙ୍କୁ ମଦ ପାଇଁ ଟଙ୍କା ମାଗିଥିଲା। ହେଲେ ଟଙ୍କା ଦେବାକୁ ମହିଳା ଜଣକ ମନା କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଆଉ ମଦ ନିଶାରେ ଚୁର ଥିବା ବାବୁଲାଲ ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ର ସାହାଯ୍ୟରେ ମହିଳାଙ୍କ ନାକ ଓ ଓଠକୁ ଆକ୍ରମଣ କରିଥିଲା, ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ।

ପଡ଼ୋଶୀଙ୍କ ସାହାଯ୍ୟରେ ମେଡ଼ିକାଲରେ ଭର୍ତ୍ତି ହେବା ପରେ ମହିଳା ଜଣକ ନିଜେ ଫୋନ କରି ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଗୁରୁତର ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏବଂ ବାବୁଲାଲ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଦାଏର କରାଯାଇଛି, ଏବେ ପୂରା ମାମଲାର ଯାଂଚ କରୁଛି ପୋଲିସ୍।

You might also like