ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ନୂଆଦିଲ୍ଲୀ:  ଦୁବାଇର ମରୁଭୂମି ଶସ୍ୟଶ୍ୟାମଳା ହୋଇଉଠିବ । ସବୁଜିମାରେ ପରିପୂର୍ଣ୍ଣ ହୋଇ ହସି ଉଠିବ ଏହାର ପରିବେଶ । ଟେକନିକ୍‌ ସାହାଯ୍ୟରେ ଏବେ ସମ୍ଭବ ହୋଇପାରିବ ଏହି ଅସମ୍ଭବ କାମ । ନରୱେର ଏକ କମ୍ପାନୀ ଦୁବାଇର ଏହି ଶୁଷ୍କ ଅଞ୍ଚଳରେ ଏହି ଟେକନିକର ପ୍ରୟୋଗ କରି ସାରିଲାଣି ।

ମାର୍ଚ୍ଚ ମାସରେ ଏହି ବାଲୁକାମୟ ଅଞ୍ଚଳରେ ଚାଷକାମ ଆରମ୍ଭ ହୋଇଥିଲା । ବାଜରାଠାରୁ ଆରମ୍ଭ କରି ବିଭିନ୍ନ ଫୁଲ, ଫଳ ଏବଂ ତରଭୁଜ ଚାଷ କରାଯାଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ଏଥିପାଇଁ ମାତ୍ର ୫ ମାସ ସମୟ ଲାଗିଛି । କମ୍ପାନୀ ଦାବି କରିଛି, ମାତ୍ର ୭ ଘଣ୍ଟା ମଧ୍ୟରେ ମରୁଭୂମିକୁ ଚାଷ ଉପଯୋଗୀ କରି ଦେଇପାରିବେ । ହେଲେ କେମିତି ? ସତରେ କ’ଣ ଏହା ସମ୍ଭବ ହୋଇପାରିବ ?

ଆସନ୍ତୁ ଜାଣିବା କ’ଣ ସେଇ ଟେକନିକ୍‌ ଯାହା ମରୁଭୂମିରୁ କରିଦେଇ ପାରୁଛି ହରାଭରା…ଶସ୍ୟଶ୍ୟାମଳା ..

ନରୱେର ଏକ ଷ୍ଟାର୍ଟଅପ୍‌ ଭଳି ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରିପାରିଛନ୍ତି । ଡେଜର୍ଟ କଣ୍ଟ୍ରୋଲ (Desert Control)   ନାମକ ଏହି ଷ୍ଟାର୍ଟଅପର ଉଦ୍ଦେଶ୍ୟ ହେଉଛି ସାରା ପୃଥିବୀକୁ ଶସ୍ୟଶ୍ୟାମଳା କରିବା । କମ୍ପାନୀ ପ୍ରଥମେ ରେଗିସ୍ତାନ ଉପରେ ଫୋକସ୍‌ କରିଛନ୍ତି । ସେମାନେ ପ୍ରଥମେ ଜାଣିବାକୁ ଚାହିଁଥିଲେ ମରୁଭୂମିରେ କିପରି ଗଛପତ୍ର ଲଗାଯାଇ ପାରିବ । ନରୱେର ଜଣେ ବୈଜ୍ଞାନିକ କିଶ୍ଚିନିକ୍‌ ଓଲିସନ୍ ଏହି ଗବେଷଣାରେ ସହାୟତା କରିଥିଲେ । ଶେଷରେ ୨୦୦୦ ମସିହାରେ ଓଲିସିନ ଏକ ଖାସ୍ ଟେକନିକ ବାହାର କରିଥିଲେ, ଯାହା ଶୁଷ୍କମାଟିରେ ବି ଫସଲ ପୁଟାଇ ପାରିବ ।

ଏହି ଟେକ୍‌ନିକ ଅନୁସାରେ ଚିକ୍କଣ ମାଟିକୁ ପାଣି ପରି ତରଳ କରାଯିବ । ଏହାକୁ ବାଲୁକା ଜମିରେ ଛିଞ୍ଚାଯିବ । ଜମି ଭିତରେ ଏହା ପ୍ରବେଶ କରିବା ପରେ ଏହାର କାମ ଆରମ୍ଭ କରିବ । ଏହି ତରଳ କ୍ଲେ ବାଲିରେ ପୁରା ଅଠା ପରି ଲାଗି ରହିବ । ଏହାଦ୍ୱାରା ପାଣି ଏବଂ ଗଛପାଇଁ ଜରୁରୀ ପୋଷକ ତତ୍ତ୍ୱ  ଉପର ଭାଗରେ ଏକାଠି ହେବ । ଏହା ପରେ ଜମି ଚାଷ ପାଇଁ ପ୍ରସ୍ତୁତ ହୋଇଯିବ । ଏହି ପୂରା ପ୍ରକ୍ରିୟା ମାତ୍ର ୭ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇ ପାରିବ ।

ଡେଜର୍ଟ କଣ୍ଟ୍ରୋଲ କମ୍ପାନୀ ଦାବି କରିଛି, ଏହି ଟେକନିକ୍‌‌ରେ କେବଳ ଯେ ବାଲି ଜାଗାରେ ଫସଲ ହୋଇ ପାରିବ ତାହା ନୁହେଁ, ଗଛପତ୍ରକୁ ଅଳ୍ପ ପାଣିରେ ପୁରା ପୋଷଣ ମିଳିପାରିବ । ମାଟିକୁ ଚାଷଜମିରେ ପରିଣତ କରିବା ପାଇଁ ଯେଉଁ ନାନୋ କ୍ଲେ ଛିଞ୍ଚାଯାଉଛି, ଏହା ଯେ କୌଣସି ସିଞ୍ଚନ ପ୍ରଣାଳିରେ କରାଯାଇ ପାରିବ ।

ସଂଯୁ୍‌କ୍ତ ଆରବ ଏମିରେଟ(UAE)ରେ ବାଲି ଯୋଗୁ ଭଲ ଫସଲ ହୋଇପାରେ ନାହିଁ । ଏଥିପାଇଁ ୯୦ ପ୍ରତିଶତରୁ ଅଧିକ ଶସ୍ୟ ଏବଂ ପନିପରିବା ଏହି ଦେଶକୁ ବାହାରୁ ମଗାଇବାକୁ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ନରୱେ କମ୍ପାନୀ ୨୧୦୮ରେ ଏହି କାମ ଆରମ୍ଭ କରିଥିଲା । ଏଥିପାଇଁ ଦୁବାଇରେ ଏହାର ପରୀକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।

ଏଥିପାଇଁ ଫିଲଡ ଟେଷ୍ଟ ଆରମ୍ଭ ହୋଇଛି । ଯଦିଓ କରୋନା ପାଇଁ ଲାବ ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି ତଥାପି ଜମି ପରୀକ୍ଷଣ କାମ ଜାରି ରହିଛି । ଏବେ ଏଠାରେ ଏହି ପ୍ରଣାଳୀରେ ବାଜରା ଓ ପନିପରିବା ଚାଷ ହେଉଛି ।

ଆହୁରି ପଢ଼ନ୍ତୁ

You might also like