ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସିଓଲ: ଦକ୍ଷିଣ ଓ ଉତ୍ତର କୋରିଆର ସାମୁଦ୍ରିକ ସୀମାରେ ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଉତ୍ତର କୋରିଆ ଏହି ଅଧିକାରୀଙ୍କୁ ହତ୍ୟା କରିଥିବା ଦକ୍ଷିଣ କୋରିଆ ଅଭିଯୋଗ ଆଣିଛି। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦକ୍ଷିଣ କୋରିଆ ପକ୍ଷରୁ ଦାବି କରାଯାଇଛି। ସାମୁଦ୍ରିକ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ମତ୍ସଜୀବୀଙ୍କ ଉପରେ ନଜର ରଖିବା ପାଇଁ ଡଙ୍ଗାରେ ଯାଇଥିବା ଜଣେ ଦକ୍ଷିଣ କୋରିଆ ଅଧିକାରୀ ସୋମବାରଠାରୁ ନିଖୋଜ ହୋଇ ଯାଇଥିଲେ।

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଅଧିକାରୀ ଜଣକ ମଙ୍ଗଳବାର ଦ୍ୱିପହର ସୁଦ୍ଧା  ଉତ୍ତର କୋରିଆ ତଟରେ ଥିଲେ। ତେବେ ଅଧିକାରୀ ଜଣକ କିପରି ସେଠାକୁ ଗଲେ ତାହା ଜଣାପଡ଼ି ନାହିଁ। ତେବେ  ଗୋଇନ୍ଦା ତଥ୍ୟରୁ ଯାହା ଜଣାଯାଇଛି,ଉତ୍ତର କୋରିଆ ସୈନିକମାନେ ଏହି ଅଧିକାରୀଙ୍କୁ ମାରି ଦେଇଛନ୍ତି।

ସୈନିକମାନେ ପ୍ରଥମେ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ତାଙ୍କ ଶବକୁ ତେଲ ଢାଳି ଜଳାଇ ଦେଇଥିଲେ। ଦକ୍ଷିଣ କୋରିଆ ଏହି ଘଟଣାର ତୀବ୍ର ନିନ୍ଦା କରିଛି। ତେବେ ଉତ୍ତର କୋରିଆ ପକ୍ଷରୁ ଏ ନେଇ କୌଣସି ବୟାନ ଜାରି କରାଯାଇ ନାହିଁ।

ସୂଚନାଥାଉ କି, ଉତ୍ତର କୋରିଆ ନିଜ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡ଼ି କରି ଦେଇଛି। କୁହାଯାଉଛି, କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବାହାର ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ଆଦେଶ ଦିଆଯାଇଛି।

 

You might also like